
ରୂପା ଜହ୍ନ ସାଥେ ଖେଳୁଥିଲି ଦିନେ
ସାଜିଅଛି ସାଥୀ ଆଜି ସପନ
କେହି ନୁହେଁ ମୋର ଆପଣାର ବୋଲି
ହଜି ଯାଇଛି ସେ ପୁରୁଣା ଦିନ...
ଫେରିବ କି କୁହ ଛୁଇଁ ମୋର ଦେହ
ଝୁଲୁଥିବି ପୁଣି ତୁମରି ସାଥେ
ଗୋପନେ ଖୋଜୁଛି ସପନେ ହଜୁଛି
ବୁଝିବାକୁ ଅଛି କିଏ ସେ ମୋତେ....
ଶରତର କାନେ କହିଥିଲି ଦିନେ
ଲୁଚିଛପି ଏଇ ମନର କଥା
ହେଲା ସ୍ୱାର୍ଥପର ଦେଲା ଉପହାର
ଶିଶିର ସ୍ପର୍ଶର ମଧୁର ବ୍ୟଥା....
ଅତୀତ ମୋହର ଭଙ୍ଗା ବାଲିଘର
ଅଟକି ଯାଇଛି ଜୀବନ ସୁର
ମନେ ପଡେ ବେଶି ଜୋଛନାର ନିଶି
ସୁଲୁ ସୁଲୁ ବାଆ ସ୍ମୃତିର ଝର....
ଭାବନା ନଈରେ ଲୀନ ହେଲା ପରେ
ହଜି ଯାଏ ମୋର ପୁରୁଣା ଛବି
ଆଖିରେ ଲୋତକ ପଡୁନି ପଲକ
ପଶ୍ଚିମ ଆକାଶେ ଲୁଚିଲେ ରବି....
ପାହିଯାଏ ନିଶି ସପନରେ ଭାସି
ବ୍ୟଥିତ ହୃଦୟ ଆତୁର ମୋର
ତଟିନୀର ଧାର କଲା ଛାର ଖାର
ପିଉଅଛି ନିତି ଦୁଃଖ ଜହର....
ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ -760003
