ଆସହେ 'ତୁତଲି' - ଅନାମ ଚରଣ ସାହୁ

0

ଆସହେ 'ତୁତଲି' କରୁଛୁ ସ୍ବାଗତ
ଆମେ ଓଡିଆ ଜାତି
ତୁମପରି କେତେ ଆସି ଫେରିଲେଣି
ଅହଂର ମଥା ପାତି।
ଉଣେଇଶି ଶହ ଅନେଶ୍ୱତ ବେଳ
ମହାବାତ୍ୟା ତ ତୁମେ
ନଷ୍ଟ ଭ୍ରଷ୍ଟ କରି ଆମରି ରାଇଜ
ଫେରିଲ ମହାପ୍ରେମେ।
ସେହି ଦିନ ଠାରୁ ଯେ ଶିକ୍ଷା ଲଭିଲୁ
ଆୟୁଧ କରି ତାହା
ପ୍ରଗତି ରଥର ଭାଗିଦାରୀ ହେଲୁ
ଚଳାଇ ନିଜ ନାହା।
'ହୁଦହୁଦ' ସାଜି ତୁମେ ଆସିଥିଲ
କରାଳ ରୂପ ଧରି
ନାଶି ନ ପାରିଲ ମାନବ ଜୀବନ
ଦୁଃଖରେ ଗଲ ଫେରି।
ଆମ ରାଇଜର ଓଡ୍ରାଫ ଦଳକୁ
ଶତେକ ଧନ୍ୟବାଦ
ତାଙ୍କରି ସାହସ ଧଇର୍ଯ୍ଯ ବଳରେ
ଥରିଲା ତୁମ ପାଦ।
ଜାତିସଂଘ ଖୁସି ଆମ ପ୍ରଚେଷ୍ଟାରେ
ସମ୍ମାନ ଦେଲା ଜାଣି
ବୀର ଓଡିଆଙ୍କ ବିଜୟ ନାଦର
ପ୍ରଚାର ହେଲା ବାଣୀ।
ତୁମେବି ଆସିବ ପୁଣି ଫେରିଯିବ
ହସ୍ତକୁ ରିକ୍ତ କରି
ବିଶ୍ବେ କାହିଁ କୁହ ଅଛି କେଉଁ ଜାତି
ବୀର ଓଡିଆ ସରି।

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ

Post a Comment

0Comments
Post a Comment (0)