ତମର ଓ ମୋର - ଜିତେନ୍ଦ୍ର ସାହୁ

0

ତମରି ମଥାରେ ସିନ୍ଦୂରର ଗାର
ମୋଅର କପାଳ ଫଟା,
ଚିହ୍ନା ହୋଇ ବି ଅଚିହ୍ନା ରହିଲି
ସହି ଅପବାଦ ଥଟ୍ଟା,

ତମରି ଆଖିରେ ରଙ୍ଗଭରା ସ୍ବପ୍ନ
ମୋ ଆଖିରେ ଖାଲି ପାଣି,
ଦରଜଳା ମନ ଲିଭେଇବା ପାଇଁ
ଲୁହ ଢାଳେ ଜାଣି ଜାଣି,

ତମରି ଓଠରେ ମୁଚୁକୁନ୍ଦା ହସ
ମୋ ଓଠ ଅଛି ଶୁଖିଲା,
ପିଇ ଦେଇ ଗଲ ପ୍ରୀତି ରସ ସବୁ
ମୁଁ ଧରିଛି ଖାଲି ପିଆଲା,

ତମରି ହାତରେ ମେହେନ୍ଦୀର ଦାଗ
ମୋ ହାତରେ ରକ୍ତ ଛିଟା,
ତମ ଭଳି ଗୋଟେ ଗୋଲାପକୁ ତୋଳି
ଫୁଟିଛି ଧୋକାର କଣ୍ଟା,

ତମରି ପାଦରେ ଅଳତାର ଗାର
ମୋ ପାଦର ରଙ୍ଗ ଫିକା,
ପ୍ରମାଣ କରିଲା ନାଲି ନ ଦିଶିଲେ
ରହିବାକୁ ପଡେ ଏକା ।।



ଜିତେନ୍ଦ୍ର ସାହୁ, ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)