ଆପଣାର ବୋଲି ଭାବିବାରୁ ସିନା
କେତେ କେତେ ଗାଳି ଦେଉଛି
ଦୁଃଖ ବଳିଗଲେ ଆହା ଶୁଣିବାକୁ
ସବୁ କଥା ଖୋଲି କହୁଛି ।୦
କିଏ ସିନା ତୋତେ ଠାକୁର ଭାବେରେ
ସାଙ୍ଗ ବୋଲି ମୁଁ ଭାବେ
ନିତି ଧାଏଁ କିଏ ଦେଉଳ ଦୁଆରେ
ମୁଁ ମୋ ହୃଦୟ ଜଗେ
ତୁ ତ ଅଛୁ ମୋ ହୃଦ-କନ୍ଦରେ
ପ୍ରତି ମୁହୂର୍ତ୍ତରେ ଦେଖୁଛି । ୧
ଅନ୍ତରଙ୍ଗ ପାଖେ ଦୁଃଖ ବଖାଣିଲେ
ଅଧେ ଦୁଃଖ ଚାଲିଯାଏ
ସେଇଥି ପାଇଁକି ତୋତେ କହିଦେଲେ
ଛାତିଟା ହାଲୁକା ହୁଏ
ଘୁଞ୍ଚା ବା ନଘୁଞ୍ଚା ଏ ଦୁଃଖ ଯାତନା
ମୋ କାମ ମୁଁ ତ କରୁଛି ।୨
ତୁ ତ ଅଛୁରେ ମୋହରି ଭିତରେ
ମୁଉଁ କାନ୍ଦିଲେ ତୁ କାନ୍ଦୁ
ଜାଣିଛି ବୋଲି ତ ମୁଁ ବିନ୍ଦୁ ହେଲେ
ତୁ ପରା ଅଥଳ ସିନ୍ଧୁ
ଆଉ କିଆଁ କହ ଚିନ୍ତା କରିବି
ସୁଖ ଦୁଃଖ ସମ ବୁଝୁଛି ।୩
ସମ୍ପାଦକ,
ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ଅନୁଗୋଳ-୧୨୭
