ଚିନ୍ତାମଣି ହେ...... ତୁମେ ଚେତନାର ଚଳତାରା
ଚରାଚର ବିଶ୍ବ ତୁମରି ଇଙ୍ଗିତେ
ତୁମେ ଚିରନ୍ତନ ପରା । ୦
ଯାହା ବା ଦେଖୁଛି ଏ ନୟନ ମୋର
ସବୁ ତୁମ ଇଚ୍ଛାମତେ
ସୁନୀଳ ସାଗର, ଶ୍ୟାମଳ କେଦାର
ନୀଳ ପରବତ ଯେତେ
ସବୁରି ଭିତରେ ପାଏ ମୁଁ ତୁମର
ବିମଳ ହସର ଝରା । ୧
ଚିନ୍ତାମଣି ହେ...... ତୁମେ ଚେତନାର ଚଳତାରା ...
ଜନନୀ ଛାତିରେ ପୀୟୁଷ ସଞ୍ଚିଲ
ହୃଦରେ ସେନେହ ମଧୁ
କାମିନୀ ମନରେ ଭଲ ପାଇବାର
ପ୍ରେମର ଅଥଳ ସିନ୍ଧୁ
କମନୀୟ ମୁଖେ କୋଟି ଲାବଣ୍ୟର
ହସର ମୁକୁତା ଝରା । ୨
ଚିନ୍ତାମଣି ହେ...... ତୁମେ ଚେତନାର ଚଳତାରା .....
ବନେ ଉପବନେ, ଜୀବରେ ଜୀବରେ
କାମନା, ବାସନା, ଆଶା
ଅମୀୟ ସହିତ ବିଷ ବି ରଚିଲ
ଯଶ ଅପଯଶ ଭାଷା
ସବୁରି ପଛରେ ଲୁଚିଥାଅ ତୁମେ
କାହାକୁ ନଦିଅ ଧରା । ୩
ଚିନ୍ତାମଣି ହେ...... ତୁମେ ଚେତନାର ଚଳତାରା .....
ଚିନ୍ତାମଣି ହେ ! ତୁମେ ଚେତନାର ଚଳତାରା - ରମେଶ ଚନ୍ଦ୍ର ମିଶ୍ର
August 22, 2018
0
