ଜଗନ୍ନାଥ
ତୁମକୁ ଡାକୁଛି ମୁଁ ଅନାଥ ହେ , ଜଗନ୍ନାଥ…।।
ଶୁଣିଥଲି ତୁମେ ପରା ପ୍ରାଣିଙ୍କୁ ଦିଅ ଆସରା
ମୋ ଜୀବନ ଦୁଃଖ ଘେରା କଙ୍କରିତ ପଥ ହେ , ଜଗନ୍ନାଥ…।।
ନେତ ପତିତପାବନ ମୋହପାଇଁ କିଆଁ ବାମ
ତୁମେ ଦେଇଥିବା ଦାନ ଛଡ଼ାଇ ନେଉଛ ହେ , ଜଗନ୍ନାଥ…।।
ଅନାଥ ବୋଲି ଠାକୁର କରିଲ ମନ୍ଦ ବେଭାର
ଯଶ କିରତୀ ତୁମର ହେବ କଳଂକିତ ହେ , ଜଗନ୍ନାଥ…।।
କିପରି ଏ ତୋ ଆଶ୍ରୟ କେମିତିକା ଦୟାମୟ
ଦୁଃଖ ଭୟରେ ଅଥୟ ମେଦିନୀ ଚକିତ ହେ , ଜଗନ୍ନାଥ…।।
ମୁଁ ଛାର ନଗଣ୍ୟ ନର କି ଦାଉ ସାଧ ଠାକୁର
ବୁଝିବି କେମିତି ତୋର ଏହି ଲୀଳାମୃତ ହେ , ଜଗନ୍ନାଥ…।।
ଇଚ୍ଛାମୟ ମହାବାହୁ ତୁମ ଇଚ୍ଛା ପୂର୍ଣ୍ଣ ହେଉ
ଜୀବନର କାଳ ରାହୁ ହେଉ ଅସ୍ତମିତ ହେ , ଜଗନ୍ନାଥ…।।
ଡାକଇ ପ୍ରଫୁଲ୍ଲ ଦ୍ୱିଜ ଆହେ ପ୍ରଭୁ ଦେବରାଜ
ସାହା ହୁଅ ରମାକାନ୍ତ ମୋର ପ୍ରାଣ ନାଥ ହେ , ଜଗନ୍ନାଥ…।।
ତୁମ ଇଚ୍ଛା ପୂର୍ଣ୍ଣ ହେଉ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
August 22, 2018
0
