ବହୁତ କିଛି କହିବାର ଥିଲା - ତପସ୍ଵିନୀ ଦାଶ

0
ଭରସା ଥିଲା ଲେଉଟିବ
କେବେ ନା କେବେ ଭେଟିବି
ଭିଡକୁ ଆଡେଇ,
ହେଲେ କାହାଠୁ ବୁଝିବି ତା କଥା
ଜଣା ତ ନ ଥିଲା
ମୁଁ ତ ତାକୁ ହରେଇବା ପରେ ପରେ ହିଁ
ହଜେଇ ଦେଇଥିଲି ତା ଠିକଣା
ବଡ ଦାଣ୍ଡରେ,
ଧନ୍ଦି ହୋଇ ଯାଇଥିଲି ଗୋଲକ ଧନ୍ଦାରେ
ନିଜ ଜୀବନରେ,
ଜାଣିଥିଲି ଆଉ କେବେ
ଆସିବନି ମାଇଲଖୁଣ୍ଟ ହୋଇ
ଦେଖାଇବାକୁ ଦିଗ ମୋ ରାସ୍ତାରେ।
ସୁନ୍ଦର ଜୀବନଟିଏ ଫୁଟିବା ଆଗରୁ
ମଉଳି ଯିବା ଆରମ୍ଭ ତ ମୁଁ ନିଜେହିଁ
ଲେଖି ଦେଇଥିଲି ମୋ ଆଖିର କଜ୍ବଳରେ,
ଏବେ ଆଉ ସେ ଛବି କୁ କାହିଁକି ଖୋଜି ବାହାରିଛି
ଭିଡ ଭିତରେ କେଜାଣି :
ଜୀବନର ନୂଆ ପରିଚ୍ଛେଦର ଲୋଭ
ଲେଖିବାକୁ ନୂଆ ପୃଷ୍ଠାରେ
ସମ୍ବରଣ କରି ପାରିନାହିଁ କି ଏ ଯାକେ
ମୋଠୁ ଅଧିକ ତାକୁ ମିଳିଯାଇଛି ସତରେ,
ମୋ ପାଇଁ କରିଛି କି ସେ ଅପେକ୍ଷା ହୃଦୟରେ
ଜୀବନ କାହାଣୀ ପୁରା କରିବାକୁ
ମାଗୁଛିକି ପୂର୍ଣ୍ଣଛେଦ ଟା ଗୁପ୍ତରେ ।
ଅଗନାଅଗନି ବନସ୍ତ, ଅଙ୍କାବଙ୍କା ମୋଡ
କୋଉଠି ଭାଙ୍ଗିଛି ତା ସୁରତାଳ ଲୟ
ଏକନିଷ୍ଠ ଯୋଗୀପଣ :
ବହୁତ ଦିନରୁ ଶୁଣି ନ ଥିବା ତା ହୃତ୍ସ୍ପନ୍ଦନ
କେମିତି ଶୁଭୁଛି ଧମନୀରେ
ବହୁତ କିଛି ପଚାରିବାର ଥିଲା
କହିବାର ଥିଲା ଏ ବ୍ଯସ୍ତ ଜୀବନରେ। ।


ତପସ୍ବିନୀ ଦାଶ,
ବୁଢିଖମାରୀ ଶାସନ, ଭଂଜପୁର, ବାରିପଦା

Post a Comment

0Comments
Post a Comment (0)