ସୁନାର ଭାରତ ହସୁଅଛି ଆଜି
ଅତୀତର ସ୍ମୃତି ନେଇ
ପବିତ୍ର ଏ ମାଟି ଗାଏ ଇତିହାସ
ମହାନ୍ ନେତାଙ୍କ ପାଇଁ ।।
ଦେଶ ପ୍ରେମ ଭଳି ଉନ୍ମାଦନା ମନ୍ତ୍ର
ଗାଉଥିଲେ ହୃଦୟରେ
ଅସୀମ ସାହସ କଷଣର ଜ୍ବଳା
ସହି କି ରକ୍ତ ବିନ୍ଦୁରେ ।।
ବିଦେଶୀ ମାନଙ୍କ ଅନ୍ୟାୟ ବିରୁଦ୍ଧେ
ରଚିଥିଲେ କେତେ ରଣ
ସାଉଁଟି ଥିଲେ ସେ ସ୍ୱାଧୀନତା ଭଳି
ଅମର ସେବା କଙ୍କଣ ।।
ଅଦମ୍ଯ ପ୍ରଚେଷ୍ଟା ଦେଶଭକ୍ତି ପଣେ
ଦେଖନ୍ତି ନିତି ସପନ
ମାତୃଭୂମି ଲାଗି ସମର୍ପିତ ସେବା
ଭାବିନେଲେ ବଡ ପଣ ।।
ଆମ ଗହଣରେ ତୁମ ଶୂନ୍ଯସ୍ଥାନ
ଦେଉଅଛି ବାଧା ଆଜି
ଯାହାଙ୍କ ସେବାର ପ୍ରତିଫଳ ପୂର୍ଣ୍ଣ
ତ୍ରିରଙ୍ଗା ଲହରେ ରାଜି ।।
ମୁକ୍ତ ଆକାଶର ନିଳିମା କୋଳରେ
ଦେଶ ପାଳେ ସ୍ଵାଧୀନତା
ହେ ସଂଗ୍ରାମୀ ବୀର ତୁମ ବଳିଦାନ
ଅଟେ ଅମର କବିତା ।।
ନେତାଜୀ, ମହାତ୍ମା ,ତିଳକ, ବିପିନ୍
ଲାଜପତ ରାୟ ବୀର
ସ୍ଵାମୀ ଦୟାନନ୍ଦ ଗୋଖଲେ ଅନେକ
ତୁମେତ ଚେତନା ସ୍ଵର ।।
ଆଉ କି ପାଇବୁ ତୁମ ପରିନେତା
ଭଗତ ସିଂହ ରାଜଗୁରୁ
ସୁଖଦେବ ବୀର ଭାରତ ମାଟିର
ଥିଲ ଏ ଭୂଖଣ୍ଡ ମେରୁ ।।
ଗୋଟିଏ ଦିନରେ ଜୀବନ ପ୍ରଦୀପ
ଲିଭିଗଲା ଫାଶି ଖୁଣ୍ଟେ
ମନେ ପଡିଗଲେ ସେ ଦୃଦିନ ବେଳ
ଆଖି ଲୁହ ଓଠ ମେଣ୍ଟେ ।।
ଧନ୍ୟ ଧନ୍ୟ ତୁମ ଗର୍ଭ ବହି ମାତା
କୋଟି ପୂଣ୍ଯ ମୟୀ ସେହି
ତୁମରି ଜଠର କ୍ଷୀର ପାନ କରି
ବୀର ପଣେ ଥିଲେ ରହି ।।
ଏ ମାଟିର ପାଣି ପବନ ଝୁରୁଛି
ଏ ଭଳି ପବିତ୍ର ଦିନେ
କାହିଁଗଲ ଆହେ ଜୟ ରାଜଗୁରୁ
କୃତିବାସ ମହାଜନେ ।।
ତୁମରି ଡାକରେ ବୀର ପାଇକଙ୍କ
ହୋଇଥିଲା ଦିନେ ମେଳି
ବାଣପୁର ଗଡ ଥିଲା ମହାସଭା
ଗୋରାଙ୍କ ବିରୁଦ୍ଧ ଭେଳି ।।
ମହତ୍ବ ସେବାରେ ଲାଲମାଟି ଆଜି
ହସୁଛି ଗଗନ ଚାହିଁ
ବୀର ମାଟି ସେହି ଲାଲ ଖୋର୍ଦ୍ଧାଗଡ
ମହକଇ ତୁମ ପାଇଁ ।।
ଛୁଇଁଲେ ସେ ମାଟି କହୁଅଛି ଖାଲି
ବୀରତ୍ବର କେତେ ଗାଥା
ଭାରତ ବୁକୁରେ ଶହୀଦ ମାନଙ୍କ
ଜାତି ପ୍ରେମର ସେ କଥା ।।
ନମସ୍ତେ ଧରଣୀ ହେ ଉତ୍କଳମଣୀ
ଜନ ନେତା ଜନାର୍ଦ୍ଦନ
ମାନବ ସେବାକୁ ଆପାଣାର କରି
ରଖିଛ ଦେଶେ ସମ୍ମାନ ।।
ସ୍ଵାଧୀନ ଭାରତେ ଜାତୀୟ ସଙ୍ଗୀତ
ଗୁଞ୍ଜୁ ଅଛି ପତ୍ର ଫୁଲେ
ବନ୍ଦେ ମାତରମ୍ ର ଭକ୍ତିପୂତ ଗାନ
ଶୁଭୁଛି ରଙ୍ଗ ମହଲେ ।।
ଗାଆଁଠୁ ସହର ଗଳି କନ୍ଦି ପରା
ପାଳୁ ଅଛି ଏ ଦିବସ
ବିଜୟର ଧ୍ବଜା ଉଡେ ଫର ଫର
ଧରଣୀ ଦିଶେ ହରସ ।।
ଆମେ ଏ ଦେଶର ଆଗାମୀ ଜନତା
ଭବିଷ୍ଯର ଆମେ ଚକ୍ଷୁ
ଶିକ୍ଷା ସ୍ବାସ୍ଥ୍ୟ ସାଥେ ଯାନ୍ତ୍ରିକ କୌଶଳେ
ଦେଶର ମହତ୍ ରଖୁ ।।
ଆସ ମିଳିମିଶି ପାଳିନ କରିବା
ଏକସ୍ତରୀ ସ୍ଵତନ୍ତ୍ରତା
ଗଗନେ ପବନେ ଖେଳୁଥିବ ରହି
ଆମ ସଂସ୍କୃତିର ବାର୍ତ୍ତା ।।
ହିନ୍ଦୁସ୍ଥାନୀ ଆମେ ସାରା ବିଶ୍ୱ ଦେବା
ଆମରି କାହାଣୀ କହି
ଅଧୁନା ଭାରତ ଜନତା ଆମେରେ
ଆମ ପରି କେହି ନାହିଁ ।।
(୨୦୧୮ ମସିହା ସ୍ଵାଧୀନତା ଦିବସ ଉପଲକ୍ଷେ ଏହି ସ୍ଵତନ୍ତ୍ର କବିତା)
ଅଠରବାଟିଆ, ବାଲୁଗାଁ, ଖୋରଧା
