ଟିକି ଭାବନା - ଘନଶ୍ୟାମ ସାହୁ

0
ଟାଣପଣ ଦିନେ ଚାଲିଯିବ ତୋର
ମିଛେ ତୁ କରୁଛୁ ଗରବ,
ଟିକି ଦୁନିଆରେ ରହି ଭାବୁଛୁ ତୁ
ସରି ତୋର କେହି ନୋହିବ । ।୧।
ଟିକିଏ ବିନୟୀ ନରମ ସ୍ୱଭାବେ
ମୂଢମନ ଥରେ ଭାବିବୁ,
ଟୀକା ଦେବା ଆଗୁ କାହା ପ୍ରତି ମନ
ବାରବାର ଚିନ୍ତା କରିବୁ ।।୨।
ଟାଳଟୁଳ ନୀତି ଆଉ ନ କର ତୁ
ଆଜି ଠାରୁ କର ଭାବନା,
ଟଳିଯିବ ତୋର ସକଳ ବିପଦ
କାହା ମନେ ଦୁଃଖ ଦିଅନା ।।୩।
ଟାହି ଟାପରାକୁ ନ କରି ଖାତିର
କରିବୁ ତୁ ନିଜ କରମ,
ଟେକାଟେକିକୁ ତୁ ଦେବୁ ନାହିଁ ଧ୍ୟାନ
କର୍ମ ହିଁ ହେଉ ତୋ ଧରମ ।।୪।
ଟିକି ଜୀବନକୁ ବିଭୁ ପଦ ତଳେ
କରିଦେ ରେ ମନ ଅର୍ପଣ,
ଟାଣିନେବେ ପ୍ରଭୁ କରି ଆପଣାର
ତୁଟିବ ଏ ଭବ ବନ୍ଧନ ।।୫।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment

0Comments
Post a Comment (0)