କେବେ ହସ କେବେ କାନ୍ଦ
ସଦା ନରହଇ ଉଆଁସ ରାତି ଲୋ
ସଦା ଉଏଁ ନାହଁ ଚାନ୍ଦ ।।
ଜୀବନେ ସପନେ ଆଶାର ସଉଧ
ଗଢି ହୋଇ ଯାଇଥାଏ
ନିଦ ତୁଟିଗଲେ ସପନ ସଉଧ ନିମିଷେ ମିଳେଇ ଯାଏ ।।
ସଫଳ କାମନା ବିଳାସି ଜୀବନେ
ସପନ ହୁଅଇ ସତ
ବାଧା ,ବିଘ୍ନ ଅପସରଇ ଅଚିରେ
ଶାନ୍ତି ତହିଁ ବିରାଜିତ ।।
ସୁଖର ସଉଧ ବିପୁଳ ବିଭବ
ସଂପଦ ଐଶ୍ୱର୍ଯ୍ୟ ଭରି
ସୁଖ ଦୁଃଖ ସହ ତାଳ ଦେଇ ଚାଲେ ସଂସାର ଜୀବନ ତରୀ ।।
ସବୁ ମିଛ ମାୟା ମରିଚିକା ବୋଲି
ମନେ କେବେ ଉଙ୍କି ମାରେ
ତଥାପି ଏମନ ମୋହଗ୍ରସ୍ତ ହୋଇ
ଭୁଲଇ ସଂପଦ ଭୋଳେ ।।
ଆସିଯାଏ ଯେବେ କାଳର ଡାକରା
ଅକାଳେ ସକାଳେ କେବେ
ସଂପଦ,ବୈଭବ,ପ୍ରିୟା,ପରିଜନ କେହି ନଯିବେଟି ସଙ୍ଗେ ।।
ସବୁ ରହିଯିବ ଏକାହୋଇ ଜୀବ
ଯିବ ସମନ ସଦନ
କେହି ପରା ସାହା ନହେବେ ବାଟକୁ
ସାହା ଏକାସିନା ଧର୍ମ ।।
ବେଳ ଥାଉ ବନ୍ଧ ବାନ୍ଧରେ ଜୀବନ
ଧରମ କୁ କରି ସାଥି
ସାର୍ଥକ ହେଉତୋ ମଣିଷ ଜୀବନ ନହେଉରେ ନିରିମାଖୀ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,
ମଙ୍ଗଳାଯୋଡି, ଖୋର୍ଦ୍ଧା
