ଜନ୍ମ ଆର ମୃତ୍ଯୁ
ଏ ଲମ୍ବା ଅବଧି
ଏକ ବିରାଟ ଅଛିଣ୍ଡା ଅଙ୍କ ଖେଳ
ମିଶାଣ, ଫେଡାଣ, ଗୁଣନ, ହରଣର
ଅବିରତ କ୍ରିୟାକର୍ମ
ବନ୍ଧନୀର ସମାଧାନ କରୁକରୁ
ଲମ୍ବିଆସେ କାନପାଖେ
ଦଶ ଇନ୍ଦ୍ରିୟଙ୍କୁ ନିସ୍ତେଜ କରି
ନିତ୍ୟ ନୈମିତ୍ତିକ ଅଭାବନୀୟ କଟୂ ତିକ୍ତ
ଅନିଚ୍ଛା ଗଜଲ୍
ସଜାହୁଏ ଆମପାଇଁ
ଆଉ କୋଉଠି ଗୋଟେ ଅଜଣା ମହଲ ।
ନିଆଁର ବର୍ଗବନ୍ଧନୀ ଭିତରେ
ତମାମ୍ ଜୀବନ ଛନ୍ଦି ହୋଇଯାନ୍ତି
ସମ୍ପର୍କର ସୂତ୍ରମାନେ,
ଜୀବନ-ଜୀବିକାର କୁଟିଳ ବନ୍ଧନୀର ଅଙ୍କସବୁ
ଝଡିପୋକ ପରି ଅବିରତ ସାଲୁବାଲୁ,
ଦେଖୁ ଦେଖୁ ଦିନ ସରିଯାଏ
ଚନ୍ଦ୍ର ବନ୍ଧନୀ, ରେଖା ବନ୍ଧନୀର ଗଣ୍ଠିକୁ ଫିଟାଇ
ଅଙ୍କମାନଙ୍କର ସମାଧାନ କରୁକରୁ
ଶେଷଫଳ ଶୂନ ହୋଇଯାଏ
କେବେ କେବେ ବା
ଋଣାତ୍ମକ ରାଶିର ବୋଝରେ
ମୁଣ୍ଡ ନୋଇଁଯାଏ ।
ଜୀବନ ତ କିଛି ନୁହେଁ
ଦୁଇଟି ବନ୍ଧନୀ ମାତ୍ର
ଶୂନରେ ଆରମ୍ଭ
ଶୂନରେ ବି ଶେଷ,
ଅଙ୍କଖେଳର ସମ୍ମୋହନୀ ଯାଦୁରେ
କର୍ମ-ଯଜ୍ଞରେ ପୋଡିଗଲା ପରେ
ଉତ୍ତର ସୂରୀଙ୍କ ପାଇଁ
ବଞ୍ଚିରହେ ଖାଲି ମୁଠାଏ ପାଉଁଶ
କାହାପାଇଁ ସେ ପାଲଟିଯାଏ ବିଭୂତି ତ
ଆଉ କା'ପାଇଁ
ଗାଆଁ ମୁଣ୍ଡ ଧୋବାତୁଠ ଖାର ଅବଶେଷ ।
ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
