ଶୁଣ ଶୁଣ ରେ , ବୃନ୍ଦାବନେ ବଂଶୀ ବାଜଇ
ଦାମୋଦର ସଙ୍ଗେ ରାଇ କୁଞ୍ଜବନେ
ଦେଖ ରଙ୍ଗେ ରାସ ରଚଇ , ଶୁଣ ଶୁଣ ରେ… ।।
କେବେ ନିପମୂଳେ କୃଷ୍ଣ ତ୍ରୀଭଙ୍ଗି ରେ
ନବ ନଟବର ବେଶ
ରାଧା ରାଧା ବୋଲି ଡାକଇ ମୁରଲୀ
ନୀଳକଣ୍ଠ ନୃତ୍ୟ ରତ
କେଡେ ଭାଗ୍ୟବାନ ଏହି ବୃନ୍ଦାବନ
ମରତେ ବୈକୁଣ୍ଠ ଏହି , ଶୁଣ ରେ…।।
ଯମୁନାର ଜଳେ ନାବକେଳୀ କରେ
ନାଉରିଆ କଳା କାହ୍ନା
ଗୋପଗୋଇ ଦହି ବିକିବାକୁ ଗଲେ
ହଟହଟା କରେ ସିନା
ପ୍ରେମେ ମତୁଆଲା ସର୍ବେ ଗୋପବାଳା
ଦେଖିଲେ ହୁଅନ୍ତି ବାଇ , ଶୁଣ ଶୁଣ ରେ…।।
ଗୋପୀ ଙ୍କ ବସନ ଚୋରୀ କରି ପୁଣ
ନୀପଡାଳେ ବାନ୍ଧେ ନେଇ
ଚୋରୀ କରେ ସର ଲବଣୀ ଆବର
ବଢାଭାଙ୍ଗି ଖାଏ ଦହି
ତଥାପି ସେ ଗୋପ ଚନ୍ଦ୍ରମା ସ୍ବରୂପ
ରାଧା ପ୍ରାଣଧନ ସେହି , ଶୁଣ ଶୁଣ ରେ...।।
କେବେ ଗୋଗଷ୍ଠରେ ଗୋପାଳ ଙ୍କ ମେଳେ
କେବେ ଚନ୍ଦ୍ରସେଣା ଘରେ
କାଳିନ୍ଦୀ ହ୍ରଦରେ ବରଜ ଦାଣ୍ଡରେ
ନୂଆ ନୂଆ ବେଶ ଧରେ
ପ୍ରଫୁଲ୍ଲ ଜୀବନେ ଆସି ଥରେ ଦିନେ
ତ୍ରାହିକର ଭାବଗ୍ରାହୀ, ହେ, ଶୁଣ ଶୁଣ ରେ…।।
