ମନ ଅମାନିଆ ପାରା - ଦେବବ୍ରତ ଜେନା

0
ମନ ଅମାନିଆ.....,
ଲଗାମଛଡା........ ,
ଅବୋଲକରା.....
ବେପରୁଆ..........ଆଉ ବେଧଡକ ........
କେବେ ଅତୀତରେ ହଜେ
କେବେ ବର୍ତ୍ତମାନେ ଖୋଜେ
କେବେ କ୍ଷିପ୍ର
କେବେ ସ୍ଥାଣୁ ଓ ନିଶ୍ଚଳ
ନିଶାକାଳେ ନିଶାରେ ଭିଜେ
ପୁଣି ଦିବାଲୋକରେ ଖୋଜେ
ଅବାସ୍ତବ ଦୁନିଆର ରଙ୍ଗୀନ ସପନକୁ.....
ଅପୁରଣୀୟ ଆଶାକୁ ........
ଅଣାୟତ୍ତ ଲୁହ ଭିଜା ହୃଦୟରେ
ଅବଗୁଣ୍ଠିତ ହୋଇ ଥିବା ଅୟୁତ କୋହକୁ ...... ।।
ପୁଣି କେବେ କେବେ
ଶୂନଶାନ ରାତିରେ କାହା ନିକ୍ଵଣ ଶବ୍ଦରେ
କେବେ ଝଡ଼ ବର୍ଷା ଭିଜା ଅନ୍ଧାର ରାତିର ଝିଙ୍କାରୀର ଝୀଂ ଝୀଂ ଶବ୍ଦରେ
କେବେ ନିଦାଘର ତାତିରେ ନିର୍ଜନ ଦ୍ଵିପହରରେ
ଅବା କେବେ ଶ୍ରାବଣ ରାତିର ଧାରା ଶ୍ରାବଣୀର ସ୍ପର୍ଶରେ
କେବେ ବସନ୍ତରେ କୋକିଳର କୁହୁକୁହୁ ତାନରେ
ତ ପୁଣି କେବେ ହୃଦୟର ଅବଚେତନ ମାନସରେ କାହା ସୁରମ୍ୟ ସ୍ଵନରେ
ଅତୀତର ସ୍ମୃତି ରେଣୁ ପଖାଳେ
ବର୍ତ୍ତମାନର ଯବନିକା ଟାଣି
ଭବିଷ୍ୟତର ରୂପରେଖକୁ ଅଭିଜ୍ଞତାର ସାଧା ଫର୍ଦ୍ଦରେ
ମାନସପଟରେ ଆଙ୍କେ,ଚିତ୍ରଣ କରେ ,ରୂପ ଦିଏ ...
ରାତି ରାତି ନିଦକୁ ହଜାଇ
ତା ପାଇଁ କେତେ କେତେ କଳ୍ପନାର ଅସମ୍ଭବତାର ସୁନେଲି ପ୍ରାସାଦ ତୋଳୁ ତୋଳୁ
ଅରୁଣ ଉଷା ଉଦିତ ହୁଏ
ସ୍ୱପ୍ନ ..... ନାୟିକା .......ଆଉ ....ସୌଦାଗରର ସବୁ ଆଶା
ଧୂଳିସାତ ହୋଇଯାଏ ।।

Post a Comment

0Comments
Post a Comment (0)