ସମୟ ଓ ଶ୍ରାବଣୀ - ତପନ କିଶୋର ପ୍ରଧାନ

0

ଶ୍ରାବଣୀ ଗୋ, ଭୁଲ ବୁଝନା ମୋତେ
ସେଦିନ ମୁଁ ରାଗିଥିଲି ସିନା
ଲୁଚାଇଲ ବୋଲି ମୋର - ପ୍ରିୟାର ଆଳାପ
ଆଜି କିନ୍ତୁ
ନିତି ଖୋଜେ, ନିତି ଚାହେଁ ତୁମ ଉପସ୍ଥିତି
ନୂଆ ଶବ୍ଦ, ନୂଆ ରବ, ନୂଆ ରୂପ ପାଏ ତୁମଠାରେ

ଆଜି, ତୁମ ସେ ବରଷା କଣ୍ଠ ରିମ ଝିମ ସ୍ୱର
ଶୁଭେ ମୋର ପ୍ରିୟା କଣ୍ଠ ପରି
ଶ୍ରାବଣୀ ଗୋ, ତମରି ପରଶେ ଫୁଟେ ଯେତେ ନାଲି, ନେଳି, ହଳଦିଆ ଫୁଲ
ସବୁ ମୋର ପ୍ରିୟା ହସ ସମ- ଲାଗଇ ମଧୁର
ସତେ ମୋର ପ୍ରିୟା ଭସା ଆଖି ଲୁହର ଉଜାଣି
କୋଟି କୋଟି ନଦ ନଦୀ ବନ୍ୟା ଆଜି ରଚେ

କୋଇଲି ଗାଏନା ଗୀତ , ହଳଦୀ ବସନ୍ତ- ଲୁଚେ ଗହଳ ପତରେ
ଏତିକି ସାନ୍ତ୍ୱନା ଯାହା ପ୍ରିୟା ଭୁଲି ହୁଏ
ବେଶୀ ବେଶୀ ପଡେ ନାହିଁ ମନେ

ସୂର୍ଯ୍ୟ ଲୁଚେ ବାର ବାର ଭୟ ପାଏ ମୁଁ
କଳା ମେଘ ଦେହେ ଦେଖି ଧଳା ବଗ ମାଳ
ସୁରୁଜର ଉପସ୍ଥିତି ପାଏ-

ଶ୍ରାବଣୀ ଗୋ , ତୁମେ ଦିନେ ଥିଲ- ବିଧ୍ଵଂସୀ କଳାପାହାଡ଼
ଭାଙ୍ଗୁଥିଲ ସପନ ସଉଧ
ଆଜି କିନ୍ତୁ ବିଶ୍ଵକର୍ମା ତମେ-ଯୌବନର
ପରାସ୍ତ ମୁହୂର୍ତ୍ତେ !!!



ବିଳାଶୁଣି, କଟକ

Post a Comment

0Comments
Post a Comment (0)