ମାଆ କାଳିଜାଇ ଅଭୟ ଦାୟିନୀ
ଏକି କଲୁ ଅଘଟଣ
କାନ ଦିନେ ଯାହା ଶୁଣିତ ନଥିଲା
ଚାଲିଗଲା ଛଅ ପ୍ରାଣ ।।
କେତେ ଶରଧାରେ କାହୁଁ ଆସିଥିଲେ
କରିବାକୁ ତୋ ଦର୍ଶନ
କି ରହିଲା ତାଙ୍କ ଭୁଲ୍ ଲୋ ମାଆ
କଲୁ ଏତେ ହୀନିମାନ ।।
ଫେରିଲା ବାଟରେ ମଝି ଗଣ୍ଡେ ତୋର
ମୋଡି ପକାଇଲୁ କାହିଁ
କେତେ ଆଶା ନେଇ ତୋର ପାହଡକୁ
ଆସନ୍ତି ସୁ ଦୂରୁ ଧାଇଁ ।।
ଚିଲିକା ଗଣ୍ଡରେ ଉଭା ହୋଇଅଛୁ
ଦୁଃଖ ବିନାଶିନୀ କାଳୀ
କେଉଁ ଦୋଷେ ମାଆ ଟିକି ଜୀବନର
ପକାଇଲୁ ତୁହି ବଳି ।।
କାଳ ବୈଶାଖି ଘୋଟାଇଲୁ କ୍ଷଣେ
ନଭେ ମେଘମାଳ ଡାକି
ସାଥିରେ ବିଜୁଳି ପ୍ରକମ୍ପିତ ବାଆ
ଗ୍ରାସିଲୁ ବାଣ ନିରେଖି ।।
ଥର ହର ହେଲା ତରଣୀର ମଙ୍ଗ
ଥୟ ନ ହୋଇଲା ଆଉ
ଧିବର ଭାଇର ଉଡିଲା ଭରସା
ଦେଖି ତୋର କ୍ରୁର ଦାଉ ।।
ନ ହେଲା ଆୟତ ମେସିନ୍ କଳରେ
ବୁଦ୍ଧି ହଜିଲା ପ୍ରାଣୀର
ବିପଦ ଘେରରେ ଛନ୍ଦି ଦେଇଥିଲୁ
ସତେ ଲୌହ ବନ୍ଦୀ ଘର ।।
ଘୋଟି ଦେଲୁ ମାଆ ଅନ୍ଧକାର ଛାଇ
ବାଟଘାଟ ନ ଦିଶଇ
ପଶ୍ଚିମ ଆକାଶୁ ପ୍ରଖର ଗତିରେ
ପବନ ଆସିଲା ଧାଇଁ ।।
ପଲଟିଲା ନାଆ ଅଣଚାଶ ବାଆ
ଘୋଟିଲା ଜଳେ ପ୍ରଳୟ
ଷୋଳଟି ଜୀବନ ଅକାତ ପାଣିରେ
ବୁଡିଲେ ଫେଡିଣ ଲୟ ।।
ଛଅଟି ପ୍ରଦୀପ ଲିଭିଗଲା ସେଠି
ଚାହୁଁ ଚାହୁଁ ନିମିଷକେ
ହଜିଗଲା ତାଙ୍କ ପାର୍ଥିବ ଶରୀର
ପରେ ପାଇଥିଲେ ଲୋକେ ।।
ମଥା ପିଟି କେତେ କାନ୍ଦୁଥିଲେ ଜନେ
ଚିଲିକା ମଝି ଗଣ୍ଡରେ
ଅସହାୟ ହୋଇ ତୋତେ ଡାକୁଥିଲେ
କର୍ଣ୍ଣେ ନ ଶୁଣିଲୁ ବାରେ ।।
କାହିଁକି ଲୋ ମାଆ ଏତେ ନିରିଦୟ
ଦୁଃଖୀର ଦୁଃଖ ବେଳକୁ
ବୁଡାଇଲୁ ନାବ ଅକାତ ଜଳରେ
ଭୁଲି ଗଲୁ କରୁଣାକୁ ।।
ନା ବାଳକ ଶିଶୁ ଦୁନିଆଁ ଦେଖିନି
କଲୁ ତାକୁ ବେସାହାରା
ଏମିତି କରିଲେ ମାଆ ଦୟାମୟୀ
କିଏ ହେବ ଟି ସାହାରା ।।
ଏତେ ବଡ ଏହି ଦୁନିଆଁଟା ପରା
ଚାଲେ ମାଆ ତୋ ପାଇଁ
ତୁହି ନ ରଖିଲେ ଆମେତ ଅନାଥ
ଏହି ମହୀପରେ ରହି ।।
ଓଡିଶା ଆଖିରେ ଲୁହ ଭରିଦେଲୁ
ରଚିଲୁ ତାଣ୍ଡବ ଲୀଳା
କେମିତି ଭରସା କରିବେ ଏ ଜନେ
କୁହ ମାଆ ଭକ୍ତ ବତ୍ସଳା ।।
ଯୁଗେ ଯୁଗେ ତୁହି ଅଭୟଦାୟିନୀ
ଶକ୍ତି ସ୍ୱରପିଣୀ ଅମ୍ବେ
ଉତ୍କଳ ଭୂମିରେ ତୋ ବାନା ଉଡୁଛି
ତୁହି ମାଆ ଜଗଦମ୍ବେ ।।
ତୋର ମାୟ ଅଟେ ବଡ ଅଗୋଚର
ବ୍ରହ୍ମା,ଶିବ ଯାନ୍ତି ବଣା
ଆଉ କେବେ ହେଲେ ନ ଘଟୁ ଧରାରେ
ଏପରି ଶୋକ ଘଟଣା ।।
ପ୍ରକୃତି କୋଳରେ ଶୋଭା ପାଉଅଛୁ
ତୁହି ମା ବରଦାୟିନୀ
ତୋ ପାଦେ ଅଧମ ଧୃବ ନିତ୍ଯ ଭଜେ
କ୍ଷମା କର ଶୈଳ ରାଣୀ ।।
ଅଠରବାଟିଆ, ବାଲୁଗାଁ, ଖୋରଧା
