ମନୁଷ୍ୟର ପ୍ରତ୍ୟେକ ସାଧନା କ୍ଳୀବତାର ଆକ୍ରମଣରୁ ନିଜକୁ ରକ୍ଷାକରିବା । କୌଣସି ପ୍ରତିକୁଳ ପରିସ୍ଥିତିରେ ବି ମନୁଷ୍ୟ ମୁଁତ୍ୱ'କୁ ନହରାଉ, ଅବଷାଦଗ୍ରସ୍ତ ହୋଇ ପ୍ରକୃତି ହାତରେ ଆତ୍ମ ସମର୍ପଣ ନକରୁ ଓ ମୃତ୍ୟୁକୁ ନିଜ ଉପରେ ନିଃଷ୍କଣ୍ଟକ ଶାସନ କରିବାର ସୁଯୋଗ ନଦେଉ । ଏ ସଂପର୍କରେ ସର୍ବଦା ସଜାଗ ଓ ପ୍ରଯତ୍ନଶୀଳ ରହିବା ମାନବ ଜୀବନର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ । ଜୀବନର ଯେଉଁ ଗତି, ବିଚାରଧାରା, କର୍ମଧାରା, ଯେଉଁ ଭଳି ରୀତି, ନୀତି, ମତବାଦ ଓ ମନୋବୃତ୍ତି ମନୁଷ୍ୟର ମୁଁତ୍ୱ'କୁ ଦୃର୍ବଳ କରେ, ଅବସନ୍ନ ଓ ସଂକୋଚନ କରେ, ଦେହ, ମନ ଓ ଇନ୍ଦ୍ରିୟ ଉପରୁ ମୁଁତ୍ୱ'ର ପ୍ରଭାବକୁ କମ୍ କରିଦିଏ ଓ ଶେଷରେ ପ୍ରକୃତିର ପ୍ରଭାବକୁ ବୃଦ୍ଧିକରି ମୃତ୍ୟୁ'ର ଅଧିନତାକୁ ସ୍ୱୀକାର କରିବାକୁ ବାଧ୍ୟ କରେ । ତେଣୁ ମୁଁତ୍ୱ'ର ତେଜ ବୀର୍ଯ୍ୟ, ଉତ୍ସାହ ଓ ଆତ୍ମଶ୍ରଦ୍ଧାକୁ ବଢାଇ, ଉଦାର ମହାନ୍, ବ୍ୟାପକ ଓ ଉଜ୍ୱଳ କରି ମୁଁତ୍ୱ' ଭିତରେ ଥିବା ଅମୃତ୍'କୁ ବିକାଶିତ କରିବା ଓ ମୃତ୍ୟୁର ସଂସାରରେ ରାଜ୍ୟ ସ୍ଥାପନା କରିବାର ଦାମ୍ଭିକତା ଦେଖାଇବା ମନୁଷ୍ୟର ଧର୍ମ ବୋଲି ଭଗବାନ ଉପଦେଶ ଦେଇଛନ୍ତି ।
ଗୀତାରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟକୁ ମୁଁତ୍ୱ'ର ଉଦ୍ ବୋଧନ, ଶକ୍ତିବିକାଶ ଓ ବିଶୃଦ୍ଧ କରିବାକୁ ଉପଦେଶ ଦେଇଛନ୍ତି । ପୂର୍ବୋକ୍ତ ଶ୍ଳୋକ ଏହି ଉପଦେଶର ବୀଜରୂପ ଅଟେ । ସେ ବାରଂବାର ମାନବକୁ ସ୍ମରଣ କରାଇଛନ୍ତି -
"ଉଦ୍ଧରେ ଦାତ୍ମନାତ୍ମାନଂ ନାତ୍ମାନମବ ସାଦୟେତ୍
ଆତ୍ମୌବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ ।"(6/5)
ନିଜକୁ ଉଦାର କର, କେବେ ଥରେ ବି ନିଜକୁ ଅବଶାଦଗ୍ରସ୍ତ କର ନାହିଁ, ମନୁଷ୍ୟ ନିଜେ ନିଜର ବଂଧୁ ଓ ନିଜେ ନିଜର ଶତୃ, ନିଜର ଦେହ, ଇନ୍ଦ୍ରିୟ ଓ ମନକୁ ନିୟନ୍ତ୍ରିତ କରିବାର ଅଭ୍ୟାସ କର, ଫଳରେ ପ୍ରକୃତିକୁ ଜିଣି ଅମୃତ ପ୍ରାପ୍ତ ହୁଅ, ପ୍ରକୃତି ହାତରେ ନିଜକୁ ସମର୍ପି ଦିଅନାହିଁ, ନୋହିଲେ ଅମୃତ ପ୍ରାପ୍ତିର ପଥ ବଂଦ ହୋଇଯିବ । ଭଗବାନ ମାନବକୁ ସ୍ମରଣ କରାଇଛନ୍ତିଯେ- ଶରୀର ଅପେକ୍ଷା ଇନ୍ଦ୍ରିୟ ଶ୍ରେଷ୍ଠ, କାରଣ ଇନ୍ଦ୍ରିୟ ଦ୍ୱାରା ଶରୀର ପରିଚାଳିତ ହୁଏ । ସେଭଳି ଇନ୍ଦ୍ରିୟ ଅପେକ୍ଷା ମନହିଁ ଶ୍ରେଷ୍ଟ, କାରଣ ଇନ୍ଦ୍ରିୟମାନଂକ ରାଜା ମନ ଓ ସେ ଏମାନଂକୁ ନିୟନ୍ତ୍ରଣ କରିଥାଏ, ମନ ଅପେକ୍ଷା ବୁଦ୍ଧିହିଁ ଶ୍ରେଷ୍ଠ, କାରଣ ମନ ଉପରେ ଶାସନ କରେ ବୁଦ୍ଧି, ବୁଦ୍ଧିର ବିଚାରଶକ୍ତି ଦ୍ୱାରା ମନ ପରିଚାଳିତ, କିନ୍ତୁ ବୁଦ୍ଧି ଅପେକ୍ଷା ଆତ୍ମା ଶ୍ରେଷ୍ଠ ଅଟେ, କାରଣ ଆତ୍ମାହିଁ ସର୍ବୋପରି ପ୍ରଭୃ, ଅନ୍ୟ ସମସ୍ତ ଏହାର କାରଣ ମାତ୍ର । ଆତ୍ମାର ପ୍ରୟୋଜନ ପୁରାକରିବା ନିମନ୍ତେ ଏସବୁ ସର୍ତ୍ତାର ଅନୁଭବ । ଦେହ,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଏସବୁ ଆତ୍ମାର ଉପାଦାନ ମାତ୍ର, ତେଣୁ ଅନ୍ତଃକରଣ ଓ ବାହ୍ୟକରଣ ପ୍ରକୃତି ବିଷୟର ସମ୍ରାଟ ହେଉଛି ଆତ୍ମା । ଏସମସ୍ତକୁ ନିଜ ଅଧିନରେ ରଖି ନିୟନ୍ତ୍ରଣ କରିବା ଆତ୍ମା ଅଧିକାର । ଏହି ଆତ୍ମାହିଁ ମୁଁତ୍ୱ'ର ସ୍ଗରୂପ ଅଟେ । ହେ ମାନବ, ମୁଁତ୍ୱ'ର ସୂରୂପ..., ଏହି ମହାନ୍ ଶକ୍ତିଶାଳୀ ଓ ମହାମହିମାନିତ୍ୱ ନିଜକୁ ଜାଣି ମଧ୍ୟ ତମେ ନିଜର ଦୃର୍ବଳତା ଉପରେ ବିଜୟ ପ୍ରାପ୍ତହୁଅ, ପାପବୃର୍ତ୍ତିକୂ ନାଶକର ତଥା ଏ ମୃତ୍ୟୁମୟ ପ୍ରାକୃତ ଜଗତରେ ନିଜ ଆତ୍ମାର ବିଜୟ ପତାକା ଉଡାଅ, ଏହାହିଁ ମାନବ ଜାତି ପାଇଁ ଭଗବାନଂକ ଚିରନ୍ତନ ଉପଦେଶ-
"ଇନ୍ଦ୍ରିୟାଣି ପରାଶ୍ୟାନୁ ହୁରିନ୍ଦ୍ରିୟେଭ୍ୟଃ ପରଂମନଃ,
ମନମସ୍ତୁ ପରା ବୁଦ୍ଧିର୍ୟୋ ବୁଦ୍ଧେଃ ପରଣସ୍ତୁ ସଃ ।
ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତାଭ୍ୟାତ୍ମାନମାତ୍ମନା,
ଯହି ଶତ୍ରୁଂ ମହାବାହୋ କାମରୂପଂ ଦୂରାସଦମ୍ ।" (3/42/43)
ଜ୍ଞାନ ଯୋଗରେ ଆତ୍ମାତତ୍ତ୍ୱ ବିଚାର ଅକ୍ଷୟ ମହିମା ସ୍ୱରୂପକୁ ଅନୁଭବ କରାଯାଏ । ଚିତ୍ତ ଶୁଦ୍ଧରେ ଆତ୍ମା ବିଦ୍ୟମାନ । ଆତ୍ମା କେବେ ଜରାଗ୍ରସ୍ତ ହୋଇପାରେ ନାହିଁ, ଇନ୍ଦ୍ରିୟ ମାନଂକ ସୁଖ ଦୁଃଖରେ ଆତ୍ମାର ସୁଖ-ଦୁଃଖ ନଥାଏ, ଦେହର ବିକାରରେ ଆତ୍ମା ନଥାଏ, ମନର ଉର୍ଦ୍ଧରେ ଆତ୍ମା ନଥାଏ, ହୁଏତ କର୍ମେନ୍ଦ୍ରିୟଗୁଡିକ ନିର୍ଜୀବ ଭୌତିକ ପଦାର୍ଥଠାରୁ ଉନ୍ନତ ହୋଇପାରେ । ଇନ୍ଦ୍ରିୟମାନଂକ ଠାରୁ ଅଧିକ ଉନ୍ନତ ମନ ଓ ମନ ଅପେକ୍ଷା ଅଧିକ ଉନ୍ନତ ବୁଦ୍ଧି, କିନ୍ତୁ ଏ ବୁଦ୍ଧି ଠାରୁ ଅଧିକ ଉନ୍ନତତର ଆତ୍ମା, ଯାହାକୁ କୌଣସି ପ୍ରାକୃତିକ ଶକ୍ତି ଅଭିଭୂତ କରିପାରେ ନାହିଁ । ଅଗ୍ନି ଆତ୍ମାକୁ ଜାଳିପାରେ ନାହିଁ, ବାୟୁ ଏହାକୁ ଶୁଖାଇ ପାରେନାହିଁ କି ଜଳ ଆତ୍ମାକୁ ଭିଜାଇ କି ମିଳାଇ ପାରେନାହିଁ । ଆତ୍ମା ପ୍ରତ୍ୟକ୍ଷଭାବରେ ପରମାତ୍ମାଙ୍କ ସହ ସଂଯୁକ୍ତ ହେଲେ, ଅନ୍ୟ ସମସ୍ତ ବୁଦ୍ଧି,ମନ ଓ ଇନ୍ଦ୍ରିୟଭୋଗ୍ୟ ଇନ୍ଦ୍ରିୟଗୁଡିକ ସ୍ୱତଃ ନିଯୁକ୍ତ ହୋଇଯିବେ । କଠୋପନିଷଦରେ ଆତ୍ମାକୁ ମହାନ ବୋଲି କୁହାଯାଇଛି, ତେଣୁ ଆତ୍ମା ଏ ଇନ୍ଦ୍ରିୟଭୋଗ୍ୟ ବସ୍ତୁ, ଇନ୍ଦ୍ରିୟ,ମନ ଓ ବୁଦ୍ଧି ଠାରୁ ଅଧିକ ଉନ୍ନତତର ଓ ଏହାର ସୂରୂପକୁ ବୁଝିଗଲେ ସକଳ ସମସ୍ୟାର ସମାଧାନ ହୋଇଯିବ ।
ଅବୁଝା ମଣିଷ ଯେବେ ବୁଝିବ ଯେ, ସେ ଜିତେନ୍ଦ୍ରିୟ, ମନ ଓ ବୁଦ୍ଧିଠାରୁ ବହୁ ଉର୍ଦ୍ଧରେ, ତା'ର ନୀଚମନକୁ ଉଚ୍ଚମନ ସାହାଯ୍ୟରେ ନିୟନ୍ତ୍ରିତ କରିବା ଉଚିତ୍ ବୋଲି । ଏପରିକି ସେହି ଆତ୍ମଶକ୍ତି ବଳରେ କାମରୂପୀ ପରିଚିତ ଏହି ଦୁର୍ଦ୍ଧଷ ଶତ୍ରୁକୁ ଜୟ କରିଦା ଆବଶ୍ୟକ ବୋଲି, ଏଭଳି ସତ୍ୟକୁ ସେ ଯେଉଁଦିନ ଅନୁଭବ କରିପାରିବ, ସେଇଦିନ ସେ ନିର୍ଭୀକ ଭାବରେ ମୁଁତ୍ୱ' ରାଜ୍ୟର ସମାନ ସଂସାରରେ ନିଜକୁ ପ୍ରତିଷ୍ଠିତ କରିପାରିବ ।
ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦
