ଆସ ଆସ ଢଳି ଢଳି ନୀଳଗିରି ପାନକରି କାଦମ୍ବରୀ
ନବ ଯଉବନ କରିଲି ଦର୍ଶନ ଏବେ ହୁଅ ରଥଚାରୀ
ରଥରେ ବାମନ ରୂପ
କରିବି ଦର୍ଶନ ହେ କମଳାନନ
କ୍ଷୟ ହେବ ଯେତେ ପାପ ।।
ଭାଇ ବଳଦେବ ଭଉଣୀ ସୁଭଦ୍ରା ରଥେ ବସି ଚାହିଁ ଛନ୍ତି
କାହିଁ ଗଲା ଆମ ନାଟଖଟ କାହ୍ନା ବୋଲି କଥା ହେଉଛନ୍ତି
କିଆଁ ଡେରି ଡେରି କର
ମାଉସୀ ଘରକୁ ଯିବା ପାଇଁ ପରା
ବେଳ ହେଉଛି ଉଛୁର ।।
ହରିବୋଲ ହୁଳହୁଳି ଗହଳି ରେ ଉଛୁଳି ଉଠୁଛି ଧରା
ତିନି ରଥ ସିଂହ ଦୁଆରେ ବିଜୟ ଦିଶଇ ଆହାକି ତୋରା
ଆସହେ କଳା ସାଆନ୍ତ
ଲକ୍ଷେ ରଜାଙ୍କର ମଉଡମଣୀ ସେ
ଚାହିଁ ବସିଛି ରାଉତ ।।
ବଡ଼ଦାଣ୍ଡ ବଡ଼ ଗହଳ ଚହଳ ଦେବ, ମାନବ, ଗନ୍ଧର୍ବ
ରୁଣ୍ଡିଭୁତ ଏଠି ଦେଖିବାକୁ ଏହି ଜାତ୍ରା ତୋର ଅଭିନବ
ପତିତପାବନ ନାମ
କରିବ ସାର୍ଥକ ହେ ବିଶ୍ବ ପାବକ
କରି ପାପୀ ଉଦ୍ଧାରଣ ।।
ମୁଁ ଜଣେ ପାତକି ଆହେ ଚକାଆଖି ଚାତକ ଯେସନେ ଜଳ
ତେମନ୍ତେ ପ୍ରଫୁଲ୍ଲ ହୋଇ ଯେ ବିକଳ ଚାହିଁଛି ହେ ଆଦିମୂଳ
କରଦୟା ଦୟାମୟ
ହେ କଳାବାମନ ମୋ ପ୍ରାଣର ପ୍ରାଣ,
ଦିଅ ଦରଶନ ଦିଅ ।।
ମଙ୍ଗଳାଯୋଡି, ଖୋରଧା
