ଉତ୍କଳର ଗଳାହାର,
ଜଳ ଜୀବଂକର ମଧୁର ନିଳୟ
କବି ଉପମାର ମାଳ ॥
ତୋ ଜଳେ ଭାସନ୍ତି ମରାଳ ପନ୍ତି ଗୋ
ଭାସନ୍ତି ପୋତ ପଂକତି,
ନୀଳ କଇଁ ହସେ ତୋ ଚାରୁ ହସରେ
ହସେ ପଟିକା ସଂପତ୍ତି ॥
ନୀଳ ନୀଳିମାର ବାଦଲ ନାଚଇ
ତୋ ନୀଳ ନୀଳବକ୍ଷରେ,
ହଂସ ହଂସରାଳି କରୁଥାନ୍ତି କେଳି
ଦିବ୍ୟ ପୁନେଇ ଜହ୍ନରେ ॥
ତାଳବଣ ଶୋହେ ବିହଂଗ କୁଜନେ
ଚଢେଇ ଗୁହା ହସଇ,
ପାରିକୂଦ ଛାୟା ମାଲୁଦ ପ୍ରଛାୟା
ତୋ ଜଳ ରାଶିରେ ଥାଇ॥
ଦୂର କାଳିଜାଈ ଶୋଭା ତୋ ମଣ୍ତଇ
ବେଦଧ୍ୱନୀ ସଂଗୀତରେ,
ପ୍ରକମ୍ପିତ ହୁଏ ଛାୟା ବିଭାବରୀ
ଘଣ୍ଟା ମାଦଳର ତାଳେ ॥
ପୋତରେ ମଶାଲ ଦିଶେ ଝଲମଲ
ମୀନଜୀବିଂକ ଆସରେ,
ଯେସନେ ଲୁଟେରା ମଶାଲେ ଲୁଟଇ
ଘଂଚ ଅମା ଅନ୍ଧାରରେ ॥
ତାରା ନାଚୁଥାନ୍ତି ତୋ ନୀଳ ବକ୍ଷରେ
ସତେ ପାରିଜାତ ଫୁଲ,
ବାଦଲ ନାଚଇ ଯେସନେ ବୋଇତ
ସତେ କି ଯେ ଐରାବତ ॥
ଭାସିଆସେ ଦୁରୁ ପୋତପାଳ ଗୀତ
ମନ ହୃଦୟ କନ୍ଦରୁ,
ବାହୁଡନ୍ତି ଘର ହୋଇ ତରବର
ସାଜି ବାଂଛା କଲ୍ପତରୁ ॥
ବିହଂଗ ଆସର ଘନ ଜଳରାଶି
ଉପମାର ସୁନାମୁଖୀ,
ହାରିଛନ୍ତି କବି କେତେ କାବ୍ୟକାର
ତୁହି ଅଟୁ ମୁକସାକ୍ଷୀ ॥
କାମଧେନୁ ତୁ ଯେ ସକଳ ଜୀବର
ଶୋଭାରାଶି ଭିଆଇଛୁ,
ସଂପଦ ଶାଳିନୀ ଶୋଭାର ମାଳିନୀ
ଦର୍ଶକ ମନ ମୋହିଛୁ ॥
ଶିକ୍ଷକ, କୁଲିଆମାଲ ଉଚ୍ଚ ବିଦ୍ୟାଳୟ
