ଶ୍ରୀ ମଧ୍ୟେ ଶ୍ରୀହୀନା - ଜ୍ୟୋତ୍ସ୍ନା ରାୟ

0
ଶ୍ରୀମନ୍ଦିର ସବୁ ଶ୍ରୀ ମଧ୍ୟେ
ସେଦିନ ଦେଖିଲି ଶ୍ରୀହୀନାକୁ
କୋଳରେ ଜୀର୍ଣ୍ଣସୀର୍ଣ୍ଣ ସନ୍ତାନ
ନୁଖୁରା ବାଳ,ବେଶଭୂଷାର
ଅସଜଡା ପରିପାଟୀ
ମନ ଭିତରେ ବୁଭୁକ୍ଷାର ଅନ୍ତର୍ଦାହ
ଖାଦ୍ୟ, ଅର୍ଥ, ବସ୍ତ୍ର ପାଇଁ
ଏକ ବିକୃତ ମାନସିକତା।
ପ୍ରସ୍ତର ନିର୍ମିତ ପ୍ରାଚୀର ମଧ୍ୟେ
ଜୀଇଁବାର ଇଚ୍ଚାପତ୍ର-ନିବେଦିତ
ବାଉନକୋଟି ଭଣ୍ଡାରର ବାସ୍ତବତା।
ଆପାଦ ମସ୍ତକ, ସ୍ଥିତି ଅବସ୍ଥିତ
ଦାରିଦ୍ର୍ୟର ଉତ୍ପୀଡନ,ବଞ୍ଚିବାର ସଂଗ୍ରାମ
ନାରୀତ୍ୱର ଅବଲୁଣ୍ଠନକୁ
ନାରୀ ହୃଦୟର ଷ୍ଟେଥିସ୍କୋପରେ
ପରୀକ୍ଷା,ନିରୀକ୍ଷା,ତର୍ଜମାର ଅନ୍ତର୍ଦ୍ୱଦ୍ୱ ଭିତରେ
ଦୃଷ୍ଟିଗୋଚର ଅନତି ଦୂରରେ
ଅନ୍ୟ ଏକ ଆଗନ୍ତୁକା
ପର୍ଯ୍ୟବେକ୍ଷଣ, ବିଶ୍ଲେଷଣରେ ନିମଗ୍ନ
ଅପଲକ ନୟନର ଦୃଷ୍ଟି
ଜଣଙ୍କର ଉର୍ଦ୍ଧତାର ଉର୍ଦ୍ଧ୍ବକୁ
ଅନ୍ୟଟିର ନୀଚତାର ନିମ୍ନରେ
ଦାରିଦ୍ର୍ୟ ଆଉ ଐଶ୍ୱର୍ଯ୍ୟମଣ୍ଡିତା
ବିଭେଦତା, ଵ୍ୟବଧାନ
ମିଥ୍ୟା ପ୍ରତିଶ୍ରୁତି ଆଉ ମିଥ୍ୟା ସମାନତା
ଏମିତି ଅନେକ ନାରୀ ମନ ଥିଲା, ଅଛି
ଶିକ୍ଷିତା ନାରୀ କେବେ ନିଜକୁ ଦୋଷାରୋପ କରିଛି କି??
ଆମର ସ୍ବପ୍ନ ବିଳାସ ବ୍ୟସନ ଭିତରେ
କେବେ କାହାକୁ ହାତ ଧରି ଉଠାଇଛିକି?
ନାରୀ ମୂଲ୍ୟବୋଧର ମାନ ବୃଦ୍ଧି
କିମ୍ବା ନୈତିକ ଉନ୍ନତି ନିମନ୍ତେ।
ତେଣୁ ଆହ୍ବାନ, ହେ ଶିକ୍ଷିତା ଶକ୍ତିମୟୀ
କୋଟିଏ ନୁହେଁ, ଗୋଟିଏକୁ
ହାତଧରି ଚାଲି ଶିଖାଇବା
ପରିବର୍ତ୍ତନ ଆସନ୍ତାକାଲିର ନିଶ୍ଚୟ
ଜରାଜୀର୍ଣ୍ଣ ଭଗ୍ନ ପ୍ରସ୍ତର ଦୂର୍ଗେ
ପରିକଳ୍ପିତ ରତ୍ନ ଭଣ୍ଡାରର ସୁରକ୍ଷା
କହିବ ନିଶ୍ଚିତ ଆସନ୍ତାକାଲି!!!



ନାଗପାଳ, ୱାର୍ଡ ୨, ଉଦଳା,
ମୟୂରଭଞ୍ଜ, ମୋ- ୮୮୯୫୪୦୯୦୭୩

Post a Comment

0Comments
Post a Comment (0)