ପ୍ରଶାନ୍ତ ଦଳିତ ପରିବାରରେ ଜନ୍ମ । ପଣି ଜେଜେ ଯଦିଓ ସି ଅକ୍ଷର ବିବର୍ଜିତ ସିଏ କୁଆଡେ ଟିପ ମାରି ବି ମେହନ୍ତରୀ ଦରମା ଉଠାଉଥିଲେ । ସେଥିରୁ ଅଧା ମଦ୍ୟପାନ ଓ ଆଉ ଅଧା କୁତୁମ୍ବ ପୋଷଣ । ହାକିମଙ୍କ ଚାପରେ ସେ ଜେଜେଙ୍କୁ ମାତ୍ର ୫ମ ପଢିବାର ସୁଯୋଗ ଦେଇଥିଲେ । ସେଇ ୫ମ ପାଠରେ ତାଙ୍କୁ ପିଅନ ଚାକିରୀ ମିଳିଗଲା । ଜେଜେ ବସ୍ତିରୁ ବାହରି ଦପ୍ତର ଗଲାବେଳେ ତାଙ୍କ ପାଖ ପଡୋଶୀ ସେମିତି ଥିଲେ , ଯେମିତି ଶହେ ବର୍ଷ ଆଗରୁ ଥଲେ । ଜେଜେ ବାପାଙ୍କ ପ୍ରଚେଷ୍ଠାରେ ବାପା ତିନିଥରରେ ହେଲେ ବି ମାଟ୍ରିକ୍ ପାଶ କରିଗଲେ । ହେଲେ ସରକାରଙ୍କ ଦୟା : ଜାତିଗତ ସଂରକ୍ଷଣ ପାଇଁ ସେ ବହୁ ସବର୍ଣ୍ଣଙ୍କୁ ପଛରେ ପକାଇ କିରାଣୀ ଚାକିରୀଟା ପାଇଗଲେ । ଆଉ ସଂରକ୍ଷଣର ସେଇ ଉତ୍ତରାଧିକାରୀ ସୂତ୍ରରେ ପ୍ରଶାନ୍ତ ଆଜି ଅଫିସର୍ । ସ୍ମିତାର ବାପା ବି ସେଇ ଅନୁତ୍ଥିତ ଅବହେଳିତ ପରିବାର ବର୍ଗଙ୍କ ମଧ୍ୟରୁ ଜଣେ । ହେଲେ ଅଫିସର୍ର ପତ୍ନୀ ହେଲାପରେ ସିଏ ଟିକେ ବେଶୀ ଫୁଲେଇ ହୋଇଯାଇଛି । ତା ଶୈଶବର ଦାରିଦ୍ର୍ୟତା, ମଇଳା ଚିରା ପୋଷାକ, ସ୍କୁଲ୍ ନ ଯାଇ ସ୍କୁଲ୍ ଯାଉଥିବା ପିଲାଙ୍କୁ ଖତେଇ ହେଉହେଉ ନାକର ସିଙ୍ଘାଣି ପାଟିରେ ପଶିଯାଉଥିବାର ଅବସ୍ଥା – ଏସବୁ ଏବେ ସତେ ଯେମିତି ତା’ ପୂର୍ବ ଜନ୍ମର ଥିଲା । ଅଫିସର୍ର ପତ୍ନୀ ହେବା ପରେ ସେ ଆଉ ବସ୍ତି ସହ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁନି । ପ୍ରଶାନ୍ତକୁ ବି ତାଗିଦ୍ ବସ୍ତିକୁ ନ ଯିବାପାଇଁ । ପ୍ରଶାନ୍ତ କିନ୍ତୁ ପତ୍ନୀପ୍ରେମ ପାଇଁ ଗୋଟେ ଅବହେଳିତ ସମାଜ ତଣ୍ଟିରେ ଗୋଡ ରଖି ଉଦ୍ଧ୍ୱର୍କୁି ଉଠିବାକୁ ଚାହୁଁନି ; ସେ ଚାହୁଁଛି ପୂରା ସମାଜଟାକୁ ତା ସାଥୀରେ ନେଇଯିବ । ତେଣୁ ପତ୍ନୀର ଶତ ଆକଟ ସତ୍ତ୍ବେ ସେ ନିଜ ପଣି ଜେଜେଙ୍କ ଅମଳର ସେଇ ଅସନା ବସ୍ତିକୁ ଯାଏ । ତାର ଦାଦା, ମଉସା, ପିୟୁସା ଲେଖା ଲୋକ ସବୁ ତାକୁ “ବାବୁ ବାବୁ” ଡାକିଲେ ସେ ବାରଣ କରି କହେ “ପ୍ରଶାନ୍ତ” ଡାକିବାକୁ । ସେମାନଙ୍କ ପିଲାମାନଙ୍କୁ ପାଠ ପଢାନ୍ତୁ ବୋଲି ବୁଝାଏ । ନିଜ ରୋଜଗାରକୁ ମଦମାଂସରେ ନ ସାରି ପିଲାଙ୍କ ପାଠପଢା ତଥା ପରିବାର ପାଇଁ ଖର୍ଚ୍ଚ କରନ୍ତୁ ବୋଲି କହେ । ବସ୍ତିର ମଇଳା ଅସନା ଦୁର୍ଗନ୍ଧମୟ ପରିବେଶ କିପରି ଏକ ସୁସ୍ଥ ସୁନ୍ଦର ପରିବେଶର ରୂପ ନେବ ତା’ର ନକ୍ସା କରେ । ଯେଉଁ ଜାତିଗତ ସଂରକ୍ଷଣବାଦରେ ତାର ପରିବାର ଆଜି ଭୂମିରୁ ଭୂମା ଯାଏଁ ପହଞ୍ଚି ପାରିଛି,ତାରି ଆଧାରରେ ସେ ସମଗ୍ର ଜାତିକୁ ଭୂମାଷ୍ପର୍ଶ କରିବାର ସୁଯୋଗ କାହିଁକି ନଦେବ? ସଂରକ୍ଷଣବାଦର ସୁଯୋଗ କେବଳ ଗୋଟିଏ ପରିବାର କାହିଁକି ଉଠାଇ ଚାଲିଥିବ?? ତେଣୁ ପ୍ରଶାନ୍ତ ଗୋଟିଏ ସ୍ୱଅବହେଳିତ ସମାଜର ଉତ୍ଥାନ ପାଇଁ ସଂକଳ୍ପ ନେଇଛି ।
ବସ୍ତି ପିଲାଙ୍କ ପାଠପଢାର ଦାୟିତ୍ୱ ସେ ନେଇଛି । ସରକାରଙ୍କ ସ୍ୱଛ ଭାରତ ଅଭିଯାନ ଯେଉଁମାନଙ୍କ ପ୍ରତ୍ୟକ୍ଷ ସଂଶ୍ଳିଷ୍ଠରେ ସଫଳ ହେବାକୁ ଯାଉଛି, ସେମାନେ ନିଜେ କାହିଁକି ଅସ୍ୱଛ ହୋଇ ରହିଥିବେ! ଏକ ଶିକ୍ଷିତ ସମାଜ ହିଁ ସ୍ୱଛତାକୁ ଠିକ୍ ଭାବେ ବୁଝିପାରିବ ଓ ନିଜର ଅଧିକାରକୁ ସାବ୍ୟସ୍ଥ କରିପାରିବ । ସେଦିନ ହୁଏତ ସେ ନଥବ, ଯେଉଁଦିନ ତାର ଏ ଛୋଟିଆ ଉଦ୍ୟମ ତା ଜାତିକୁ ଏତେ ଆଗକୁ ନେଇଯାଇଥବ ଯେ ଜାତିଗତ ସଂରକ୍ଷଣବାଦର ବୋଝକୁ ଏ ଜାତି ଆଉ ଉଠାଇବାକୁ ପ୍ରସ୍ତୁତ ନଥିବ ବରଂ ଦାବି କରିବ କେବଳ ସଂରକ୍ଷଣବାଦ ପାଇଁ ଏଇ ଜାତିକୁ ଅସବର୍ଣ୍ଣ ଆକ୍ଷେପ କରାନଯାଉ । ଏ ଜାତି ଏବେ ସବର୍ଣ୍ଣଙ୍କ ସହ ସଂପୂର୍ଣ୍ଣ ସମକକ୍ଷ । ଏ ଜାତି ତତ୍କାଳୀନ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବ ଯେ ସଂରକ୍ଷଣ ଆଢୁଆଳରେ ସମାଜରେ ଏ ସବର୍ଣ୍ଣ-ଅସବର୍ଣ୍ଣ ପ୍ରାଚୀର ସେମାନଙ୍କର ଦରକାର ନାହିଁ । ସରକାର ଏ ପ୍ରାଚୀର ଭଗ୍ନ କରି ଘୋଷଣା କରନ୍ତୁ ସମାଜରେ କୌଣସି ସବର୍ଣ୍ଣ-ଅସବର୍ଣ୍ଣ ଜାତି ନାହିଁ ; ଅଛି କେବଳ ମାନବ ଜାତି ! ଯା’ ମନରେ ଏତେବଡ ଜାତି ପାଇଁ ଏତେ ବଡ ସମାଜ ପାଇଁ ଏତେ ବଡ ପରିବର୍ତ୍ତନର ଯୋଜନା ଅଛି, ସେ କ’ଣ ତା’ର ଏକମାତ୍ର ସ୍ନେହକାଙ୍ଗାଳୀ ପତ୍ନୀଟିକୁ ପରିବର୍ତ୍ତନ କରିପାରିବନି? ସ୍ମିତାର ମନକୁ ଜିଣିବା ପାଇଁ ସେ ଅଧରରେ ସ୍ମିତହାସ୍ୟଟିଏ ତୋଳି କହିଲା, “ଠିକ୍ ଅଛି, ଆଜି ତମେ ମୋତେ ଖାଇବାକୁ ଦେବନାହିଁ ତ, ତାହାଲେ ଆଜି ମୁଁ ତମକୁ ଖାଇବକୁ ଦେବି” । ପ୍ରଶାନ୍ତ ଖାଇବା ବାଢିବାକୁ ଗଲାବେଳେ ସ୍ମିତା କହିଲା, “ଥାଉ ଥାଉ । ଆଉ ଏତେ ପଟେଇବା ଦରକାର ନାହିଁ । ବସ ମୁଁ ଖାଇବାକୁ ବାଢୁଛି” ।
ଶିକ୍ଷକ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଂଜାମ,
ମୋ-୯୮୬୧୭୩୨୨୫୬
