ଶଇଳ ନିଭୃତ ଗହ୍ୱରୁ ତୁହି ଜନମ ନେଇ,
ଉପଳ ତଳପ ବରଜି ପାଦ ଛୁଁଇଲୁ ମହୀ..॥
ନିଷ୍ଠୁର ହୃଦୟ ଚିରି ତୁ ଅତି ଆବେଗ ଭରେ,
ପଦ ଧୈାତ କରି ମହୀର ମିଳି ବିରାଟ ନୀରେ..॥
ବନ୍ଧୁର ଶିଳାରେ ନାଚି ତୁ ଶୋଭା ମେଲାଇ ଦେଇ,
ଲୁଚିଲୁଚି ପାଦ ଧୋଇଲୁ କେତେ ବନାନୀ ଭୂଇଁ...॥
କେତେ ଜୀବେ ଦୟା ଦେଖାଇ ଦେଇ ନିର୍ମଳ ଜଳ,
ଶୋଭାର ଆସର ତୋଳିଲୁ ଗଢି ଗ୍ରାମ ବହୁଳ..॥
କଳକଳ ନାଦେ ବହିଲୁ ଦେଇ ଆତ୍ମ ତୃପତି,
ଯୋଗୀ ୠଷିଗଣ ମୋହିଲେ ଦେଖି ତୋର ମୂରତି..॥
ନିର୍ଝରିଣୀ ନାମ ବହିଲୁ ଦେଇ ଦିବ୍ୟ ନିର୍ଝର,
କୂଳରେ ଗଢିଲୁ ମନ୍ଦିର ଯେହ୍ନେ ସରଗ ପୁର...॥
ଲମ୍ଫଦେଇ ଶୀର୍ଷ ଶଇଳୁ ପଡି ଚଟାଣ ପରେ,
ଶୋଭାର ବୈକୁଣ୍ଠ ରଚିଲୁ କେତେ ଶୋଭା ଅଂକରେ..॥
ଅଂକାବଂକା ପଥେ ବହିଲୁ ବହି ସର୍ପିଳ ଶୋଭା,
ତରଂଗ ମାଳାରେ ମୋହିଲୁ ହୋଇ ତୁ ମନଲୋଭା..॥
ଭାବନା ରାଜ୍ୟରେ କବିର ତୁହି କଳ୍ପନା ରଥ,
ଉପମା ରାଜ୍ୟରେ ସାଜିଲୁ ତୁହି ଅମୂଲ୍ୟ ଗ୍ରନ୍ଥ..॥
ତୋ ଶୋଭା କୁଂଜରେ ଭାସିଲେ ମନ ପବିତ୍ର ହୁଏ,
ଲେଖନୀ ମୂନରେ ଆଂକିଲେ ତୋର ଶୋଭା ନ ସରେ..॥
ପୁନେଇ ରାତିର ନିଳୟେ ତୁହି ସୁନ୍ଦରୀ କନ୍ୟା,
ପରିବେଶ ପ୍ରତି ଛବିରେ ତୁହି ଉପମା ବନ୍ୟା...॥
ଉପମା ରାଜ୍ୟରେ ଭସାଇ ତୋର ଉପମା ଯାଦୁ,
ଆନନ୍ଦେ ପିଆଉ ସଭିଂକୁ ତୋର ଅମୃତ ମଧୁ..॥




ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ