ଆଉ ନାହିଁ ସେହି ଜହ୍ନଭରା ରାତି
ଚାନ୍ଦିନୀ ଢ଼ାଳୁନି ନିଶି ଅଧରେ,
କୋଇଲିର ସେହି ମିଠା ମିଠା ତାନ
ଶୁଭୁନାହିଁ ପାଶ ଆମ୍ର କୁଞ୍ଜରେ !

ଦିନମଣି କରେ ଅଗ୍ନିର ବରଷା
ବହୁନାହିଁ ଆଉ ଶୀତଳ ବାଆ,
ଲାଗୁଛି ଯେମିତି ସକାଳରୁ ସଞ୍ଜ
ଧରଣୀ ଦେହରେ ଲାଗିଛି ନିଆଁ !

ଛୋଟ ଆଶା ନେଇ ଭସା ବଉଦଟା
ସିଞ୍ଚିଦେଇ ଗଲା ମୁନ୍ଦାଏ ବାରି
କହିଲା ସବୁ ତ ଲୁଟି ନେଇଗଲ
କେମିତି ଢାଳିବି ଶୀତଳ ବାରି !

ଶୀତଳ ସମୀର ହୋଇଣ ଅଧୀର
କହୁଛି ସାଜିଲି ତତଲା ମୁହିଁ
କେଉଁଠି ପାଇବି ପାରୁନାହିଁ ଜାଣି
କହିଦିଅ ଥରେ ମୋତେ ବୁଝେଇ !

ଠିକଣା ହଜିଛି ସବୁ ତ ସରିଛି
ଯାଯାବର ପ୍ରାୟ ଜୀବନ ମୋର
ମିଛ ମରୀଚିକା ସପନ ରାଇଜେ
ସବୁ ଜାଣି ଆଜି ମୁଁ ନିରୁତ୍ତର !




ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ