ସପନ ତୁ ରହିଯା'ରେ ଆଶାର ଦୁଆରେ
ଭାରି ଭାରି ଆଖି ମୋର ସେନେହ ମନ୍ଦିରେ,
ପାରିଛି ପଣତ ମାଆ ମମତା ଦାଣ୍ଡରେ
ଯିଏ ଯେତେ ନେଇ ଯାଉ ମନଭରି ଥରେ ।

ଚୁନିଚୁନି ଶବଦରେ ମାଖି ଦିଅ ହୃଦ
କଳରବେ ନାଚିଯିବ ତୁମ ଚଉହଦ,
ପଞ୍ଚାଙ୍ଗରେ ଦିବ୍ୟଭାବ କରି ଆଲେପନ
ମାତୃଭାଷା ରସେ ଦେଖ ଝୁଲଇ ଭୂବନ ।



ଭୂଚକ୍ରରେ ଯହିଁ ଶୁଣ ମାତୃଭାଷା ସ୍ବର
ଘନଘନ ମନରେଖା ଗାଇବ ସତ୍ତ୍ବର,
ଦେବନା ବିହିନ ହୃଦ ଖୋଜେ ବିଶ୍ବାସକୁ
ଭୂମାନନ୍ଦ ଖେଳେ ଯହିଁ ଆଚରି ମାତାକୁ ।

ଆସ ଆସ ମାତା ପାଶେ ଯିବା ସର୍ବେ ଧାଇଁ
ନ ଦେଖି ବିଚାରୀ କାଳେ କାନ୍ଦୁଥିବ ଚାହିଁ,
ଦେଖି ଉଠାଇବ ହାତ ଓଠେ ଥିବ ହସ
ଗୁଲୁଗୁଲୁ କଥା କହି ପ୍ରକାଶିବ ରୋଷ ।



ମହାନନ୍ଦ ସେଇ ସ୍ବରେ ଧରାରେ ଅପୂର୍ବ
ତ୍ରିଦେବ ସେ ଚରାଚରେ ଭୁଲେ କେଉଁ ଜୀବ ,
ତା' ମହିମା ତୁଣ୍ଡେ ଥାଉ ଅମର ସେ କୀର୍ତ୍ତି
ମାତୃଭାଷା ବିନା କିବା ମିଳଇ ମୁକତି ।




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା