ଭାବିଥିଲି ଦେବେ କିଛି ବାର୍ତ୍ତା
ତୁମ ବିବଶତାର ନିରୀହତା
ତୁମ ଆଖିର ସଂତାରି ମୁଦ୍ରତା,
ସେମାନେ କି ଫେରିଥିଲେ ଅଭିସାରରୁ...
ଲୋଟିଗଲେ ଅଳସର ପ୍ରଭାବରେ !
ପବନ ବି ବହୁଥିଲା
ମନ୍ଦମନ୍ଦ ବାସୁଥିଲା
କା' ଦେହର ବାସ୍ନା ଆଣି,
ହଠାତ୍ କେଜାଣି କାହିଁକି
ତା' ସୁସୁରୀ ଥମିଗଲା !
ସୂରୁଜ ବି ଅସ୍ତାଚଳେ
ଦିବସର ଅନ୍ତିମ ଚମକ ନେଇ
କାହାର ଚିନ୍ତାରେ ରକ୍ତିମ ଦିଶୁଥିଲେ,
ସେ ବି କ'ଣ ପ୍ରକୃତିର
ସେଇ ନିୟମ ଭଙ୍ଗା
ରାଇଜକୁ ଚାଲିଗଲେ ...!
ଶୁଣିଲି...
ଚକୋରୀର ବିଳାପ ...
ମୋ ଆଖି ଦୁଇଟା ବି ଓଜନିଆ ହେଇଗଲେ,
ସବୁକିଛି ଦୂର ଦିଗ୍ ବଳୟ ପରି
ଝାପସା ଝାପସା ଦିଶୁଥିଲା ...
ଶବ୍ଦ ବିରତ ନିର୍ମୋହା ମନଟି ବୁଝିଗଲା --
ଡିମିରି ଫୁଲର ଏକାନ୍ତ...
ମୋ ଶେଷ ପ୍ରାୟଶ୍ଚିତ... !
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା
