କଇଁ - ଶୁଭକାନ୍ତ ସାହୁ

0
ଉଆଁସ ଗଲାଣି ନଭେ ଦ୍ବିତୀୟାର ଜହ୍ନ,
ହେଉ ବି ଅସ୍ପଷ୍ଟ ଢାଳେ ଶୀତଳ କିରଣ।
ଶୂନ୍ୟତାରୁ ଶଶିଙ୍କର ଅସ୍ଥିତ୍ବ ବିକାଶେ,
ଦେଖି ତାରେ ପ୍ରିୟତମା କଇଁ ଦେଖ ହସେ।
ଲାଜର ଓଢ଼ଣି ଆଜି ମୁଖୁ ଟାଣି ନେଇ,
ଉତ୍କଣ୍ଠାରେ ଦିନ ଗଣେ କେବେ ଯେ ପୁନେଇଁ।
ଅର୍ଦ୍ଧଚନ୍ଦ୍ର ବୋଲି ସିଏ ଅର୍ଦ୍ଧ ପ୍ରଷ୍ଫୁଟିତା,
ପୂର୍ଣ୍ଣିମା ଶଶାଙ୍କ ଦେବେ ତା'ଦେହେ ପୂର୍ଣ୍ଣତା।
ଏକେ ଦେଖ ଧରିତ୍ରୀରେ ଆରେକ ଅମ୍ବରେ,
ଦୂରତା ବଢ଼ିନି ପ୍ରେମେ ଥିଲେ ବହୁଦୂରେ।
ଲାଜୁକିରାଣୀ ସେ କଇଁ ହସଇ ମୁରୁକି,
ନୀଳାକାଶେ ନିଶାକର ଖୁସି ତା'ରେ ଦେଖି।
ଅନାବିଳ ଆକର୍ଷଣେ ଦେହାତୀତ ପ୍ରେମ,
ଶିଖ ଆଉ ନପଡି ସେ ବସ୍ତୁବାଦୀ ପ୍ରେମେ।




ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ମୋ:୯୦୪୦୩୨୦୧୮୬

Post a Comment

0Comments
Post a Comment (0)