ତମେ ଗୋଧୂଳି ସଞ୍ଜ ଦୂର ଦିଗବଳୟ
ମୁଁ କୁହୁଡ଼ି ତଳର ଶଶୀ
ପ୍ରୀତି ପାରାବାରେ ଉର୍ମି ତମେ ପ୍ରିୟା
ମୁଁ ଶୀତ ଶିହରଣ ନିଶି !

ତମେ ପୂନେଇଁ ଚାନ୍ଦର ଜୋଛନା ମୁରୁଜ
ମୁଁ ଅମା ଅନ୍ଧାରୁଆ ରାତି
ତମେ ମୃଦୁ ମଳୟର ସୁଲୁ ସୁଲୁ ବାଆ
ମୁଁ ଚୋରା ଚଇତିର ଗୀତି !



ତମେ ପହିଲି ଫଗୁଣେ ରଙ୍ଗର ଅବିର
ମୁଁ ସାତ ରଙ୍ଗ ପ୍ରଜାପତି
ତମେ ହୃଦୟ କନ୍ଦରେ ସ୍ମୃତିର ଝରଣା
ମୁଁ ତମ ଅପରୂପ କାନ୍ତି !

ତମେ ବସନ୍ତ ବୁକୁରେ ଶେଫାଳିର ହସ
ମୁଁ ଶରତର ଶୁଭ୍ର ଶଶୀ
ତମେ ଧାରା ଶ୍ରାବଣରେ ବଉଦର ଝଡ଼
ମୁଁ ଝଡ଼ ଶେଷ ଶାନ୍ତ ନିଶି !



ତମେ ନୀରବ ସକାଳ ସରସୀର ଫୁଲ
ମୁଁ ବାଦଲ ଉହାଡ଼ ଜହ୍ନ
ତମେ ଆସବା ନ ଆସ ଜୀବନରେ ସାଥୀ
କେବେ ହଜିବନି ସ୍ମୃତି ଚିହ୍ନ !




ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ