ଶିକ୍ଷକ-ବାପାଙ୍କ କଡ଼ା ନିର୍ଦ୍ଦେଶ ପଦ୍ମାବତ୍ ପରି ଇତିହାସ-ବିକୃତ ଚଳଚ୍ଚିତ୍ର ଦେଖିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ନାରୀ ସମଗ୍ର ହିନ୍ଦୁସ୍ଥାନର ଆତ୍ମସମ୍ମାନର ପ୍ରତୀକ, ଯାହାର ଚରିତ୍ରକୁ ନେଇ ଏବେବି ଭାରତୀୟ ନାରୀ ଗର୍ବିତ, ତାର କଳଙ୍କିନି ଚିତ୍ରଣକୁ ଦେଖି ଆମେ ଶିଖିବା କ'ଣ ? ସେ ଶିକ୍ଷକତାରେ ପ୍ରବେଶ କରିବା ଦିନଠୁଁ ପିଲାଙ୍କୁ ପଢ଼ାଇ ଆସୁଛନ୍ତି ଭାରତୀୟ ବୀରା ରମଣୀ ପଦ୍ମାବତୀଙ୍କ ବିଷୟରେ । ଆକ୍ରମଣକାରୀ, କ୍ରୁର ଆଲ୍ଲାଉଦ୍ଦିନ୍ ଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ପଦ୍ମାବତୀ ଆପ୍ରାଣ ଉଦ୍ୟମ କରିଥିଲେ । କଳଙ୍କିନୀର ଶରବ୍ୟ ଶୁଣିବା ପୂର୍ବରୁ ପତିବ୍ରତା ସତୀ ପଦ୍ମାବତୀ ନିଜ ସତୀତ୍ବ ରକ୍ଷା ପାଇଁ ଜହର ବ୍ରତ ପାଳନ ପୂର୍ବକ ଜୀଇଁ ଥାଉ ଥାଉ ଅଗ୍ନିରେ ଝାସ ଦେଇ ଆତ୍ମ ବିସର୍ଜନ କରିଥିଲେ । ଆଜି ସେଇ ମାଟିର ଦାୟାଦ ସେଇ ପୂଣ୍ଯାତ୍ମାର ଚରିତ୍ର କିପରି ସଉଦା କରିବାକୁ ବସିଛି ! ରାଣୀ ପଦ୍ମାବତୀଙ୍କୁ ଆଲ୍ଲାଉଦ୍ଦିନ୍ ଙ୍କ ପ୍ରେମିକା ସଜାଇ ଅର୍ଥ ଉପାର୍ଜନ କରିବାକୁ କାହାଣୀକାରଙ୍କୁ ଅନ୍ତତଃ ଜଣେ ଭାରତୀୟ ଭାବରେ ଲଜ୍ଜାବୋଧ ହେଲାନି କିପରି ? ଆଜି ଚଳଚ୍ଚିତ୍ରର ନାମ ପଦ୍ମାବତୀରୁ ପଦ୍ମାବତ୍ ହୋଇଗଲେ କଣ କାହାଣୀ ବଦଳିଯିବ !



ପ୍ରଶାନ୍ତ କିନ୍ତୁ ଆଧୁନିକ ପିଲା।ସବୁ କଥାକୁ ସେ ଏକ୍ସପେରିମେଣ୍ଟ୍ ଭାବେ ନିଏ । ଯେଉଁ ସିନେମା ପାଇଁ ସାରା ଦେଶରେ ତୁମ୍ବି ତୋଫାନ, ସେଥିରେ ଏମିତି କେଉଁ ବିଷୟ ଅଛି, ଥରେ ଦେଖିଲେ ଅସୁବିଧା କଣ ? ସିନେମାଟି ଦେଖିବା ପାଇଁ ମନର କୌତୁହଳକୁ ସେ ଚାପି ପାରୁନଥାଏ ହେଲେ ଖାଲି ୟାଙ୍କର କାହିଁକି, ସବୁ ପରିବାରରେ ଏବେ ସମଦଶା । ତେଣୁ ତ ସାଙ୍ଗମାନେ ସିନେମା ଦେଖିବାକୁ ଭରସା କରିଛନ୍ତି ପ୍ରଶାନ୍ତ ଉପରେ । ଏ ବାହାପିଆ ବି କଥା ଦେଇ ସାରିଛି । ହେଲେ ବାପାଙ୍କ ମିଜାଜ୍ ଦେଖି ଟଙ୍କା ମାଗିବାକୁ ସାହସ ହେଉନି । ଆଜି ରବିବାର । ତେଣେ ସାଙ୍ଗମାନେ ଅପେକ୍ଷାରେ ଥିବେ । ବାପା ଘରେ ନାହାନ୍ତି । ବୋଉଠୁ ଟଙ୍କା ଝଡାଇବାର ଏଇଟା ହିଁ ହେଉଛି ସୁବର୍ଣ୍ଣ ସୁଯୋଗ ।



"ବୋଉ, ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କାରେ କଣ ହେବ ?" ପ୍ରଶାନ୍ତ ଅଭିଯୋଗ କରି କହିଲା । "ଟିକେଟ୍ କେତେ ଦାମ୍ ଜାଣିଛୁ ନା ? ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ୍ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ ?" ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତିକ ନେଇ ନୀରବ ହୋଇଗଲା ପରେ ପୁଣି କହିଲା, "ମୋର ଟାଇମ୍ ହେଲାଣି, ଟଙ୍କା ଦେ ।" ରୋଷେଇ ଘରୁ ବୋଉ କହିଲେ, "ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା ।" ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିବା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ବନୀ ଶୁଣି ନୀରବ ହୋଇଗଲା । ସେ ଧୀରେଧୀରେ ଛାତ ଉପରକୁ ଯାଇ ସାଙ୍ଗ ମାନଙ୍କୁ ଫୋନରେ ବକିଲା, "ଶଳେ, ମୁଁ ମୋ ମାଆଙ୍କୁ ପଟେଇ ମୋ ପାଇଁ ସିନା ଟଙ୍କା ଯୋଗାଡ଼ କରିଦେଲି ହେଲେ ତମ ମାନଙ୍କ ପାଇଁ ହେଇପାରିଲା ନାହିଁ । ତୁମେମାନେ ବି ତୁମ ମାଆଙ୍କୁ ମାଗି ଆଣି ପାରିଲନି ? ତୁମ ମାନଙ୍କ ପାଇଁ ଆଜି ପ୍ଲାନଟା ବେକାର । ହଉ ଏବେ ସମସ୍ତେ ନିଜ ମନର କୌତୁହଳକୁ ଆର ରବିବାର ଯାଏଁ ନିଜ ମନ ଭିତରେ ଚାପି ହଲ୍ ପାଖରୁ ଚାଲି ଆସ ।"






ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ମୋ: ୯୦୪୦୩୨୦୧୮୬