ପ୍ରିୟ ପ୍ରେମିକା ମୋର
କଟକ ସହରର
କେଉଁ ଗଳିରେ, ଛକରେ, ସାହିରେ
ରିଙ୍ଗରୋଡରେ, କାଠଯୋଡ଼ିକୂଳରେ
ସେଇ ବସଷ୍ଟପରେ ଯେଉଁଠି
ଟାଉନବସକୁ ଅପେକ୍ଷା ନାଁରେ
ସରିଥିଲା ଅନେକ ସମୟ
ଅବା ମଣ୍ଟୁଦା ରେସ୍ତୋରାଁର
ସେଇ ପିଣ୍ଡାରେ
ଦୁହେଁ ଚାହିଁ ରହିଥିଲୁ ଦୁହିଁଙ୍କୁ ଭୟରେ
କଣେଇ କଣେଇ ଚାହିଁ ଫେରିଗଲା ସନ୍ଧ୍ୟା
ଫୋଡିଦେଲା ରଜନୀକୁ ଯାଇ
ଗୁଜୁ ଗୁଜୁ ହେଲା କେତେ ସିନା
ବାଦୁଆ ବର୍ଷା ଥମିବାର ନାଁ
ନେଲା ନାହିଁ ॥୧॥
ଏବେ ଏବେ
ଫେରସ୍ତ କରିଛି ଯଉବନ
ବଦଲେଇ ଆଣିଛି ପ୍ରୌଢତା
ମଥାର ଶୁଭ୍ର କେଶ
ମସ୍ତକରେ କୁଞ୍ଚନ
ଚକ୍ଷୁରେ ପ୍ରଚକ୍ଷୁ
ତନୁରେ ତା ଆଦ୍ୟ ପ୍ରୌଢତାର ଉପହାର
ଆଦ୍ୟ ଯଉବନ ପରି
ଆଦ୍ୟ ପ୍ରୌଢତା କି ?
ଦୋହଲାଏ ହୃଦ
ସେ କି ଆଉ ଅନୂଢ଼ା କିଶୋରୀ ?
ଅତିକ୍ରାନ୍ତ କୈଶୋର ମୋହର
ନିର୍ବାପିତ ଅନଳ ସିନା ଗୋ
ଦହେ ଅନ୍ତ ଏ ଯାବତ ମୋର
ପ୍ଲାଵିତ ଜଳ ଏବେ ଶୁଷ୍କ.
ପଟୁ ପରେ ଅନ୍ବେଷଇ ଧାର
ପତିଦେବ ପୁଅ ଝିଅ ସବୁ ଭଲ ତ ?
ପ୍ରତିଥର ଏକା ପ୍ରଶ୍ନ ଭାବେ
ଅଭିମାନେ ଭ୍ୟାନିଟିଏ ସଂସାର ବୋଝକୁ
ଢାଳିଦେଇ ଉଘେଇ କହିବ
କି ଲାଭ ?
ଇଛାଅନିଚ୍ଛା ଭଲମନ୍ଦ ଜାଣି
ଦୀର୍ଘଦିନ ବୋହି ସାରିଲିଣି
ଉତାରି ପାରିବ, ଫେରାଇ ପାରିବ
ସେ ପୁରୁଣା ସମୟ
ଚୁପ ରହି ସୁଦୁ "ହଁ" ଟାରେ
ସାରିଦିଏ ତାର ଯେତେ କଥା
ଖୋଜୁଥାଏ "ହଁ" ରୁ ମୁଁ
ଅଜସ୍ର ଉତ୍ତର
ପୁଣିଥରେ ଦେଖା ହେବା ଯାଏଁ !
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ, କଟକ
ଦୂରଭାଷ: ୯୦୭୮୫୭୯୬୧୨
