ଧଳା, ମଳିଛିଆ କାଗଜ ଖଣ୍ଡେ
ଦେହ ସାରା ଆଠ କି ଦଶ ଭାଙ୍ଗ
ମୁହଁ ତାର ନୀଳ ପଡି ଫୁଲି ଗଲାଣି
ବୟଷ ପଚାଶ ହବ ବୋଧେ
ହେଲେ, ଏବେବି ତା ଦେହର ନାଲି
ପାନ ପତୁରିଆ ରଂଗ ଟା ଦାଉ ଦାଉ ଦିଶୁଛି ।

ସ୍କୁଲ୍ ବେଳର ସାଥୀ ସେ
ସବୁ ଦିନ ବାହାରିବ ବ୍ୟାଗ୍ ଖଣ୍ଡେ ଧରି
ଯିବା ପାଇଁ, ମୋ ସହ
ଦେଖିଛି ସେ ମୋତେ ପିଲା ରୁ ଭେଣ୍ଡା ହବା
ଦେଖିଛି ବି ମୋ ହନ୍ତସନ୍ତିଆ ଜଞାଳ,
ଜାଣିପାରେ ମୋ ସନ୍ତସନ୍ତିଆ ମୁହଁ ର ରହସ୍ୟ
ସେଇଥିପାଇଁ ତ ମୋ ସନ୍ତପ୍ତ ମନ ଟିକିଏ ସୁଁ ହେଲେ
ଭାଙ୍ଗିଯାଏ ତା ପତଳା ନିଦ
ହାତ ଖୋଲି ଡାକେ, ଚାପି ଧରେ ତା ଛାତିରେ
ପୁରୁଖୀଙ୍କ ପରି ବୁଝେଇବସେ
ନେଇଯାଏ ବେଳେବେଳେ
ଆମ ଗାଁ ନଈ କୂଳ ର କଦମ୍ବ ଫୁଲର
ବାସ୍ନା କିଣେଇ ଦବାକୁ |



ପତିବ୍ରତା ସ୍ତ୍ରୀ ଟିଏ ପରି
ପାଦରେ ପାଦ ମିଶେଇ ଚାଲିଛି ସେ |
ସହିଛି ସମୟର ସବୁ ଅଦଉତି
ଅନିଦ୍ରା ହେଇଛି ମୋ ସହ ରାତି ରାତି
ପିଇଛି ମୋ ଧାର ଧାର ଲୁହ,
କେତେ ଯେ ଆଞୁଳା, କିଏ ଗଣିଛି !
ନିଶୂନ୍ ବେଳର ରାଜୁତି ଭାଙ୍ଗିଛି
ତା ମେଘ-ମଲ୍ଲାର ରାଗରେ ଗୀତ ଗାଇ
“ପ୍ରିୟ ତମେ ମୋର ଥରଥର ଓଠ
ଓଢଣା ତଳର ଲାଜ,
ତମ କବିତାର ପ୍ରତିଟି ପାଖୁଡା
ହଉ ମୋ ସ୍ବରରେ ସଜ ”
ଏମିତି କେତେ କ’ଣ ।

ପାଇବା,ହଜେଇବା ଆଉ ଖୋଜିବାର ଚେଷ୍ଟାରେ
କାଟିଛି ମୁଁ ବର୍ଷ ବର୍ଷର ଏଇ ଲମ୍ବା ଜୀବନ
ମୋ ସ୍ବଳ୍ପ ଆୟ ରେ କରିଛି
ଖରା ,ବର୍ଷା , ଶୀତର ଆତିଥେୟ
ଦେଖିଛି ହସ-ଲୁହ ର ବାଗୁଡି ଖେଳ
ଗଦା ଗଦା ଆତ୍ମିୟଙ୍କ ଗହଳି
ମୋ ପୁଅ ଦୀପଙ୍କରର ଅଳି-ଅର୍ଦ୍ଦଳି
ଆଉ ଏଇ ବୟଷର ସଞ୍ଜବେଳ ଟାରେ
ଗଣିଛି ହାତଗଣତି ବନ୍ଧୁ-ବାନ୍ଧବଙ୍କ
ଯିବା ଆସିବ ବେଳ ।



କିନ୍ତୁ କେହି ଥାଉ କି ନଥାଉ
ଏଇ ଚିଠି ଖଣ୍ଡିକ ଜଗି ବସିଛି ମୋତେ,
ଜଣେଇଛି ତାର ଉପସ୍ଥିତି,
ଟିକ୍ ଟିକ୍ ହଉଥିବା ମୋ ବାପାଙ୍କର
ସେଇ ପୁରୁଣା ହାତ-ଘଡି ପରି ।




ଦିଲ୍ଲୀପ କୁମାର ତ୍ରିପାଠୀ
ପର୍ଜଙ୍ଗ, ଢେଙ୍କାନାଳ
ଦୂରଭାଷ-୯୯୧୬୦୬୫୮୬୬