ଫଗୁଣ ଆସିଲେ ଭାରି ଭଲ ଲାଗେ
ତମେ ପାଖେ ଥିଲେ ମୋର
ମୁଠିଏ ଅବିର ଦେହେ ବୋଳି ଦେଲେ
ସ୍ମୃତି ହେବ ମୋ ପ୍ରେମର ।

ଅଛୁଆଁ ଦେହକୁ ଛୁଇଁ ଦେବ ଥରେ
ପ୍ରୀତି ରଙ୍ଗ ଫଗୁ ନେଇ
ଭିଜା ଦେହ ମୋର ରଙ୍ଗରେ ଭିଜିବ
ପ୍ରେମେ ଆନମନା ହୋଇ ।


କୋଇଲି ରାବିବ କୁହୁ କୁହୁ ତାନେ
ପ୍ରେମର ଗଜଲ୍ ନେଇ
ପୂର୍ଣ୍ଣିମା ରାତିରେ ପାଶେଥିବ ତମେ
ଅଭିସାରିକା'ଟି ହୋଇ ।

ପ୍ରୀତି ଫଗୁଣର ପ୍ରେମ ରଙ୍ଗ ନେଇ
ବୋଳି ଦେବ ମୋର ମଥେ
ସିନ୍ଥିର ସିନ୍ଦୂର ହୋଇ ଲାକ୍ଷି ଯିବ
ରହିଯିବି ତମେ ସାଥେ ।


ସାକ୍ଷୀ ରହିଯିବ ଆମ୍ରକୁଞ୍ଜ ମୂଳ
ଚୋରା ପିରତିକୁ ନେଇ
ମଳୟ ପବନ ବଉଳ ବାସ୍ନାରେ
କୋଳେ ଥିବ ତମେ ଶୋଇ ।

ନବ ମହ୍ଲାରର ଗୀତ ଗାଉଥିବ
କଅଁଳ ଚୁମ୍ବନ ଦେଇ
ଅଳସ ନୟନେ ସ୍ୱପ୍ନ ଦେଖୁଥିବ
କଳାକାହ୍ନୁ ଟିଏ ପାଇଁ ।


ନିର୍ଲଜ ଜହ୍ନଟା ହସୁଥିବ ଖାଲି
ଆମ ଏବନ୍ଧନ ଦେଖି
ଫୁଲେଈ ଫଗୁଣ ନିରବେ କହିବ
ହୋଇଲି ମୁଁ ତମ ସାକ୍ଷୀ ।



ଓଡିଆ ଭାଷା ଓ ସାହିତ୍ୟ ବିଭାଗ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ, ଦୂରଭାଷ-୯୪୩୭୭୪୦୨୮୦