ମା'ର ପଣତ ସଂସାରର କଳ୍ପବଟ ।କିଏ ନ ପାଇଛି ଯେବେ ଛୁଇଁଛି ସ୍ବଚ୍ଛ ହୃଦୟରେ ।ପିଙ୍କୁ ଅବା ବାଦଯାଇଥାନ୍ତା କିପରି ! ପବିନ୍ ବୋଉ କୋଳକୁ ଟାଣିନେଇ କ'ଣ ଗୁଡାଏ କହିଚାଲିଲେ ଆକାଶକୁ ଚାହିଁ । ପବିନ୍ ଟା ବୋକା ଭଳି ଉପରକୁ ଆଉ ବୋଉ ମୁଁହକୁ ଚାହୁଁଥାଏ ।ସେ ଅବା କେତେ ସମୟ ରହିପାରିଥାନ୍ତା !ଭେଁ କରି ପିଙ୍କୁ ଉପରେ ଲଦି ହେଇଗଲା ।ପବିନ୍ ବୋଉ ନିଜକୁ ସମ୍ଭାଳିବାରେ ଚେଷ୍ଟା କରୁଥିଲେ ।ଏହି ସମୟରେ ସ୍କୁଲ ପିରିୟଡ ବେଲ୍ ବାଜିଲା ।ପବିନ୍ ବୋଉ ଉଭୟଙ୍କୁ ଧରି ସ୍କୁଲ ଭିତରକୁ ଯାଇ ଶ୍ରେଣୀ ଗୃହରେ ବସାଇ କହିଲେ ---ଛୁଟି ପରେ ସିଧାସିଧା ଆମ ଘରକୁ ଦୁଇଜଣ ଯାକ ଆସିବ ।ତାପରେ ସେ ସାର୍ ଙ୍କ ସହ କିଛି କଥା ହେଇ ଫେରିଲେ । ତାଙ୍କୁ ଲାଗୁଥିଲା କେହି ଜଣେ ତାଙ୍କ ପଛେପଛେ ଆସୁଛି ।ଥରକୁ ଥର ସେ ପଛକୁ ବୁଲି ଦେଖୁଥାନ୍ତି ।
ପିଙ୍କୁ ସ୍କୁଲରୁ ଆସି ଆଜି ଢେର୍ ଖାଇଛି ।ପବିନ୍ ବୋଉ ମନ ଭରି ତାକୁ ଖୁଆଇଛନ୍ତି ।ଖାଇସାରିବା ପରେ ପିଙ୍କୁ ଘରକୁ ଯିବାକୁ କହିଲା ।ପବିନ୍ ବୋଉ କହିଲେ ---ତୋ ମାମା ବାବାଙ୍କ ପାଖକୁ ଯାଇଛନ୍ତି ।ସନ୍ଧ୍ୟା ହେଲେ ଫେରିବେ ।ତୁ ଶୋଇ ପଡ । ପିଙ୍କୁର ମୁଁଣ୍ଡକୁ ଆଉଁସୀ ଦେଉଥାନ୍ତି ପବିନ୍ ବୋଉ ।ପିଙ୍କୁ ଅନାହୁତ ବିଦୀର୍ଣ୍ଣ କଣ୍ଟାବଣ ଠାରୁ ବହୁତ ଦୂରକୁ ହାତ ଫେରି ଧାଇଁ ଯାଉଥିଲା ତା' ବୋଉ ଆଡକୁ ...
ପବିନ୍ ବୋଉର ଆଖିରୁ ଧାର ଧାର ହୋଇ ଲୁହଗଡିଚାଲିଥିଲା ।ପିଙ୍କୁ ଶୋଇଗଲାଣି ।ଏମିତି ବି ଯଶୋଦା ପିଙ୍କୁକୁ ଗୋଡରେ ଶୁଆଇ ଦିଏ ।ଆଉ ସେମାନଙ୍କର ଦିପହରିଆ ଗପୁଡି ଆରମ୍ଭ ହୁଏ ।ବାର ବର୍ଷ ପୂର୍ବେ ଦୁହେଁ ଏକା ଦିନରେ ବୋହୁ ହୋଇ ଆସିଥିଲେ ଖଇରପୁର ଗାଁକୁ ।ଗାଁରେ ତିରିଶଟି ପରିବାର ।ସମସ୍ତେ ଚାଷୀବନ୍ଦୀ ।ଗାଁ ନିକଟରେ ଗୋବରା ପାହାଡ ।ଗାଁ ମୁଣ୍ଡ ଦେଇ ସାପୁଆ ନଈ ବହିଯାଉଛି ।ଅଭାବ ଅସୁବିଧାରେ ପରସ୍ପରକୁ ହାତ ବଢେଇ କାର୍ଯ୍ୟକୁ ସାରି ଦିଅନ୍ତି ।ଜୀବନର ଅନେକ ଅଭାବକୁ ସାପୁଆ ଓ ଗୋବରା ପୁରାକରିବାକୁ ଯୁଗଯୁଗରୁ ବିଦ୍ୟମାନ ।ଗାଉଁଲି ସରଳ ଜୀବନଯାପନ ଆଉ ପ୍ରକୃତିର ଶାନ୍ତ ପରିବେଶ ନୂଆନୂଆ ବେଶ୍ ମନକୁ ଛୁଇଁଥିଲା ।ଅଭାବି ଜୀବନରେ ଯଶୋଦାର ବନ୍ଧୁତ୍ବ ଆଉ ଏକ ବରଦାନ ଥିଲା ...
ଗାଁ ଦାଣ୍ଡରେ ଗହଳି ଶୁଭିଲା ।ଯଶୋଦାକୁ ଧରି ପବିନ୍ ବାପା ଫେରିଲେଣି ।କେତେବେଳୁ ସନ୍ଧ୍ୟା ହେଇସାରିଛି ସେ ଜାଣିପାରିନି ।ପିଙ୍କୁ ଆଡକୁ ସେ ଟିକେ ଅନେଇଲେ ।ପିଙ୍କୁ ଶୋଇଛି ।ଶାଶୁଙ୍କୁ ପିଙ୍କୁର ଦାୟିତ୍ବ ଦେଇ ପବିନ୍ ବୋଉ ଧାଇଁଗଲେ ।ଦୁଇ ଘର ଛାଡି ଯଶୋଦାର ଘର ।ବଂଶିକ ଭାଇମାନେ ଜମାହୋଇ ସାରିଥିଲେ ।ସେଇ ଶୋକାକୁଳ ପରିବେଶ ଭିତରେ ପବିନ୍ ବୋଉ ଧର୍ଯ୍ୟର ସହ ବାନ୍ଧବୀର ସଂସ୍କାର କାର୍ଯ୍ୟର ତଦାରଖ କରିବା ଆରମ୍ଭ କଲେ ।ପବିନ୍ ବାପା କହିଲେ ପିଙ୍କୁ ବାପା ଜେଲରୁ ଦିନକ ପାଇଁ ଗାଁକୁ ଆସିବେ ।ଆଉ ଘଣ୍ଟାଏ ପରେ ବୋଧହୁଏ ଗାଁରେ ପହଞ୍ଚିଯିବେ ।ସ୍ତ୍ରୀର ଅନ୍ତିମ ସଂସ୍କାର କରିବାକୁ ଅନୁମତି ମିଳିଛି ।ପବିନ୍ ବୋଉ ମନେ ମନେ ଭାବୁଥିଲା ସେ ତ କେବେ ସରକାରୀ ଆଇନୀ ଦେଖିନି !ପିଙ୍କୁ ବାପାଙ୍କୁ ଆଜି ଯାହା ଦିଆଯାଇଛି 'ଏଇଟାକୁ କ'ଣ ଆଇନ୍ କୁହାଯାଏ?" ବଂଶିକ ଭାଇମାନେ ସଂସ୍କାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜିନିଷର ଯୋଗାଡିବାରେ ବ୍ୟସ୍ତ ।ପିଙ୍କୁ ବାପା କାଳେ ଗାଁ ପାଖାପାଖି ହେଇଗଲେଣି, କହିଲେ ନାରୁ ଭାଇ । କ୍ରମଶଃ ଆଗକୁ ପଢନ୍ତୁ
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.