ରାଜ ଉଆସର ମାର୍ବଲ୍ ପଥର
ଆଉ ରାସ୍ତା କଡ଼ର ଗୋଡି
ଜଣେ ଦେଖିବାକୁ ସୁନ୍ଦର ସିନା
ଆଉ ଜଣେ ଥାଏ ପଡି
ନିଜକୁ ସଜେଇ ହେଉଥାଏ ଜଣେ
କେତେ ରଙ୍ଗ ଦେହେ ନେସି
ଧୂଳି ମାଟି ମାଖି ଗଡି ବୁଲୁଥାଏ
ଗୁଡି ଟିଏ ହସି ହସି

ବାଟୋଇ ଗୋଇଁଠା ପାହାର ଆହାର
ନିତି ଖାଇ ଖାଇ ଖୁସି
ପଡିରହି ଥାଏ ଭାଗ୍ୟକୁ ଆଦରି
ମଣେ ନା କାହାକୁ ଦୋଷୀ
ଛୋଟ ଗୋଡିଟିଏ ଭାବି ନାହିଁ ସିଏ
ମନରେ ଦୁଃଖ ନାହିଁ
ହାଟ ବଜାରରେ ଲାଗିବାକୁ କାମେ
ରହି ଥାଏ ବାଟ ଚାହିଁ



ବିକା କିଣା ବେଳେ ଖୋଜା ହୁଏ ଗୋଡି
ପାସାଙ୍ଗ ଭାଙ୍ଗିବା ପାଇଁ
ନ ମିଳିଲେ ଗୋଡି ବେପାର ହୁଏ ନା
କିଏ ବା କିଣିବ କାହିଁ
ଗୁଡ଼ିଟିଏ ହୋଇ ଦୁନିଆଁ କୁ ଦିଏ
ନିଜର ଟିକିଏ ସେବା
ବୁଝେ ନା ମଣିଷ ଏଇ ଛୋଟ କଥା
ବୁଝେ ଖାଲି ଦେବା ନେବା
ମାର୍ବଲ୍ ପରି ନିଜକୁ ସଜେଇ
ନିଜ ପାଇଁ ବଞ୍ଚେ ନିତି
ସଂସାର ହାଟ ରେ ଦୁନିଆଁ ବାଟରେ
ନିଜ ସ୍ୱାର୍ଥେ ଥାଏ ମାତି

ଜୀବନ ରଥ ଚାଲିଛି ଚାଲିବ
ଆଦରିବା ସେବା ନିତୀ
ମାନବ ସେବାକୁ ଈଶ୍ୱର ଭାବିଲେ
ନ ହେବ ଆମର କ୍ଷତି
ଗୋଡିଟିଏ ହୋଇ ବାଢି ଦେବି ଭାବେ
ସେବା ମୋ ଶକତି ନେଇ
ପ୍ରତି ପ୍ରାଣେ ଜାଗୁ ଏମିତି ଭାବନା
ସ୍ନେହ ପ୍ରେମ ଗୀତି ଗାଇ ।






ଗୋପାଳ ଚନ୍ଦ୍ର ସାଓ, ଦେଉଳି, ବାରିପଦା
ଜିଲ୍ଲା : ମୟୂରଭଞ୍ଜ, ଦୂରଭାଷ : ୯୯୩୭୦୪୬୯୯୮