ଖୋଜିଥିଲି ଯାହା ପାଇବିକି ତାହା, କିଏ ଦେବ ତା'ମୂଲ
ସରଗ ସୁଖଟା ମିଳିବକି ଆଉ ନରକ ହିଁ ସଦା ଭଲ ।
ନୀଳାକାଶ ତଳେ ରୂପାଖରା ଜଳେ, ଭାଗ୍ୟ ନିଏ ଅବକାଶ
ସ୍ବପ୍ନ ଦେଖୁ ଦେଖୁ ଛାଇ ଆଲୁଅରେ ହଜିଯାଏ ତନୁ ପ୍ରାସ ।

କାହା ପାଇଁ କିଛି ମାଗିବା ପାଇଁକି ଛଳ ନାହିଁ ବଳ ନାହିଁ
ମାଗିଲେ ବି କିଏ କ୍ଷଣିକ ଜୀବନ ଦେବନାହିଁ ଦେବନାହିଁ ।
ନେତି ନେତି ମେଘ କଜଳ ଘୁମର ମାଡ଼ିଆସେ ସ୍ୱଇଚ୍ଛାରେ
ପିଆସୀ ପଣତ ଓଦା ସର ସର, ପୋଛିନେବ ଫେର ଥରେ ।



ଶିଥିଳ ଶିରାର ପାଣିରେ ପରାଣ ଆରାମରେ ଶୋଇଯିବ
ମଉଳା ଆକାଶେ ଝାଉଁଳା ଜହ୍ନଟା ଲୁଚିଲୁଚି ଉଇଁଥିବ ।
ପୁଣିଥରେ ଯଦି ଫେରିଆସେ କେବେ ଅସରନ୍ତି ଅଣସରେ
ସେଇ ଦିନ ଥିବ,ସେଇ ରାତି ଥିବ, ଏ ସୁନ୍ଦର ମହୀପରେ ।
ଜୀବନ ଜୀଇଁବା ଜୀବକୋଷ ସବୁ ପ୍ରତି ପାଦେ ଗଢ଼ା ହେବ,
ପୁନର୍ଜନ୍ମ ଲଭେ ଆଶାୟୀ ଆତ୍ମାଟି ପୁଣିଥରେ ଚାହୁଁଥିବ ।




ରାଜେଶ କୁମାର ମୁଣ୍ଡ