ଝଞ୍ଜା ପ୍ରିୟଦର୍ଶିନୀ (ଗୁଞ୍ଜନ)ମାର୍ଫତ- ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା
ମନେପଡେ ଆଜି ପିଲାଦିନ
ଖେଳୁଥିଲି କରି ବାଲିଘର
ଗାଆଁ ଦାଣ୍ଡ ଝାଟିମାଟି ଘର
ପାଲଟିଛି କଂକ୍ରିଟ ଜଙ୍ଗଲ ॥୧॥
କାହିଁ ଗଲା ହାଡଭଙ୍ଗା ଶୀତ
ନିଆଁପୁଆଁ ଓ ଶିଶିର ବିନ୍ଦୁ ?
ଶେଫାଳୀର ସୁମଧୁର ଗନ୍ଧ
ବାଡିସାରା ଲକ୍ଷ୍ମୀପ୍ରିୟ ଗେଣ୍ଡୁ ॥୨॥
ଦିନଥିଲା ପ୍ରତି ଆମ୍ବଡାଳେ
ଫୁଟୁଥିଲା ସୁରଭି ବଉଳ
ଋତୁଚକ୍ର ବିପର୍ଯ୍ୟସ୍ତ ଏଠି
ଗାଉନାହିଁ ଏବେତ କୋକିଳ ॥୩॥
ମନେପଡେ ମାଆ ହାତରନ୍ଧା
ଟୁନାଟୁନୀ ବାଘମାମୁଁ ଗପ
ହଜିଲାଣି ବୋଉ ବୋଉ ଡାକ
ଚାରିଆଡେ ଇଙ୍ଗିଲିଶି ଛାପ ॥୪॥
ଶୁଣିଥିଲି ପଢିଥିଲି ମୁଁ 'ତ
ଲକ୍ଷ୍ମୀବାଈ ଆଉ ଶକ୍ତିମାନ
ସତ୍ୟ ଧର୍ମ ଚୁଲିକୁ ଗଲାଣି
ମିଳୁନାହିଁ ନାରୀଙ୍କୁ ସମ୍ମାନ ॥୫॥
ଅପାଶୋରା ଅନାବିଳ ଥିଲା
ପିଲାଦିନ ଆମ ବାଳିଖେଳ
ଫେରିବନି ଫେରିବନି କେବେ
ଅତୀତର ସେହି ସଞ୍ଜବେଳ ॥୬॥
ମାଳମାଳ ସ୍ଵାର୍ଥପର ନେତା
ନାହିଁ ନୀତି ନାହିଁ ତ ଆଦର୍ଶ
କେହି କେବେ କରେନାହିଁ ଚିନ୍ତା
ଶିଶୁ ମୁହେଁ ଦେବାପାଇଁ ହସ ॥୭॥
ଗଲେ ସିଂହ ଆସିଲେ ନରେନ୍ଦ୍ର
ସାରଥୀ ନିର୍ମଳ ପଣପଣ
ଆଉଥରେ ଫେରିଆ ବାପୁ
ଚାହଁ ଯଦି ସତ୍ୟର ସ୍ଥାପନ ॥୮॥
