ଚକାପଦା, ବେଗୁନିଆ, ଖୋରଧା
ଲାଜର ଓଢଣୀ ଆଡେଇ ଦେ ପ୍ରିୟା
ଦେଖିବି ଚନ୍ଦ୍ର ବଦନ
ପ୍ରଥମ ଦେଖାରେ ମକର ଯାତ୍ରାରେ
କିଣି ନେଲୁ ମୋର ମନ ।।
ମୁଖଟି ତୋହର ପୂର୍ଣ୍ଣିମାର ଚାନ୍ଦ
ଝରୁଛି ମିଠା ଜୋଛନା
ଓଠ ଦୁଇଗୋଟି ଗୋଲାପ ପାଖୁଡା
କରେ ମୋତେ ଆନ ମନା ।।
ନୀଳ ପାରାବାର ନୀଳଆଖି ତୋର
ଉଛୁଳେ ପ୍ରୀତିର ଢେଉ
ବିଜୁଳି ଚମକ ଖେଳେ ଦେହେ ମୋର
ଥରଟିଏ ଚାଁହୁ ଚାଁହୁ ।।
ମଲ୍ଲୀ ଫୁଲ ପରି ହସ ଖିଲିଖିଲି
ଆଉ କି ଅଛି ଉପମା
ଏମିତି ସଜେଇ ହେଉ କାହା ପାଇଁ
ଲାଜକୁଳୀ ପ୍ରିୟତମା ।।
ମାନ ଭାଙ୍ଗି ଏବେ ମନ ମୋହି ନିଅ
ଆଗୋ ମନର ମାନସୀ
ମଧୁର ରଜନୀ ଅଧୀର ହେଉଛି
ଫୁଲ ଶେଯ ହୁଏ ବାସି ।।
