Paramita Mishraପରମିତା ମିଶ୍ର
ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ: ୭୦୬୪୧୭୨୩୮୦

ମୋ ଭଳି ଝିଅଟେ କେବେ ପ୍ରେମ ବିବାହ କରିବ, ସେକଥା ଅନ୍ୟ କେହି ତ ଛାଡ ମୁଁ ନିଜେ ହିଁ ବିଶ୍ଵାସ କରିପାରୁନଥିଲି । ତେବେ କେମିତି କେଜାଣି ବିକ୍ରମଙ୍କ ପ୍ରସ୍ତାବକୁ ମନା କରିପାରିଲିନି, ବାପା ମତେ ସେ ସ୍ୱାଧୀନତା ଦେଇଥିଲେ କିନ୍ତୁ ମୋ ମାଆ ଟିକେ ଅମଙ୍ଗ ହେଉଥିଲେ । ତା'ର ବି କାରଣ ଅଛି ମୁଁ ଓଡିଆ ସାରସ୍ଵତ ବ୍ରାହ୍ମଣ ଘରର ଝିଅ ଆଉ ବିକ୍ରମ ଜଣେ ଅଣଓଡିଆ । ମୁମ୍ବାଇରେ ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ଆମେ ଦୁହେଁ ।


ସେ ଯାହା ହେଉ ଆମର ବିବାହ ହେଲା । ବିବାହ ସମାରୋହ ଏଇଠି ମୁମ୍ବାଇରେ ହେଲା । ଘରେ ପ୍ରାୟ ସମସ୍ତେ ହିନ୍ଦୀ, ଇଂରାଜୀରେ ବିକ୍ରମର ପରିବାର ଲୋକଙ୍କ ସହ କଥା ହେଉଥିଲେ । ହେଲେ ମୋ ମାଆ ର ମୁହଁ ଟିକେ ଫିକା ଫିକା ଦିଶୁଥିଲା । ନା ହିନ୍ଦୀ ନା ଇଂରାଜୀ କୋଉ ଭାଷା ବି ସେ କହିପାରେନି, ତେଣୁ ସେ ଏକବାରେ ଚୁପ୍ ଥିଲା । ଯେନତେନ ବିବାହ କାର୍ଯ୍ୟ ସରିଲା । ସମସ୍ତେ ଯିଏ ଯାହା ବାଟରେ ଫେରିଗଲେ । ଅଫିସ୍ ଥିବାରୁ ଆମେ କାହାରି ଘରକୁ ଯାଇପାରି ନଥିଲୁ ।


କିଛି ଦିନ ପରେ ଛୁଟି ନେଇ ଆମେ ପ୍ରଥମେ ପଞ୍ଜାବ ଗଲୁ, ଆଉ ତା'ପରେ ମୋ ଘରକୁ । ଯୋଉଠି ବିକ୍ରମର ଘରେ ଏକଦମ୍ ଆଜାଦ ର ପରିବେଶ ସେଠି ମୋ ମାଆ ତ ଜ୍ଵାଇଁ କୁ ଦେଖି ଓଢ଼ଣା ଟାଣି ଦିଏ । ମୁଁ ଜାଣିଥିଲି ମାଆ ବିକ୍ରମ ସହ ଖୋଲି କି କଥା ହୋଇପାରୁନି । ତେଣୁ ଯିବା ପୁର୍ବରୁ ମୁଁ ବିକ୍ରମକୁ ଓଡିଆ କିଛି ଶିଖେଇଥିଲି । ଆଉ ସେ ଇଣ୍ଟରନେଟରୁ ବି କିଛି ଶିଖିଥିଲେ, ହେଲେ ଭାବି ନଥିଲି ଏମିତି ପରିସ୍ଥିତି ହେବ । ଘରେ ପହଞ୍ଚୁ ପହଞ୍ଚୁ ମାଆ ବନ୍ଦାଣ ଥାଳୀ ଧରି ଠିଆ ହୋଇ ଥିଲେ ଆଉ ବିକ୍ରମ କୁ ଓଡିଆ କହିବାର ଏତେ ଜଲଦି ଥିଲା ଯେ, ସେ ମାଆ କୁ ଦେଖୁ ଦେଖୁ କହିଉଠିଲେ "ହଇଲୋ ମାଁ ତୁ କେମିତି ଅଛୁ, ବଞ୍ଚିଛୁ ।" ଆମ ଓଡିଆ ଘରେ ପୁଣି ଶାଶୁ କୁ "ତୁ", ମାଆ ତ ଛାନିଆ ହୋଇ ଥାଳୀ ଛାଡି ଦୌଡି କି ପଳେଇଛି ଘରକୁ, ଆଉ ଆମେ ସମସ୍ତେ ଛାନିଆ ହୋଇ ଚାହିଁ ରହିଗଲୁ କେବଳ ।


ଆଜି ବି କଥା ଟି ମନେ ପଡିଲେ ହସି ହସି ପେଟ ଫାଟେ । କୋଉ ଅଭିଧାନରୁ ସେ ଓଡ଼ିଆ ଶିଖିଲେ କେଜାଣି । ସେ କହିଥିବା କଥାର ଅର୍ଥ ଜାଣି ସେ ନିଜେ ବି ଲଜ୍ଜିତ ହେଲେ । କୁହନ୍ତି ମୁଁ ତ ଭଲ ଅଛନ୍ତି କି ବୋଲି ପଚାରୁଥିଲି !! ଅବଶ୍ୟ ଏବେ କିଛି କିଛି ଓଡ଼ିଆ କହୁଛନ୍ତି ସେ ।