ପ୍ରସନଜିତ ସାହୁ
ମହିଷାମୁଣ୍ଡା, ନାଉଗାଁ ହାଟ, ଜଗତସିଂହପୁର
ଦୂରଭାଷ : ୭୩୭୭୬୬୩୪୦୦
ହେ ଗାନ୍ଧୀ.......
ଆଉ କ'ଣ ଫେରିବନି ଅହିଂସା
ହେଉପଛକେ ବିରଲା ହାଉସର
ନିଭୃତ କୋଠରୀ ଭିତରୁ ।
ଆଉ କ'ଣ ଶୁଭିବନି ସକାଳର ଧୂନ
ରଘୁପତି ରାଘବ ରାଜାରାମ
ହେଉପଛକେ ଫୁଙ୍ଗୁଳା
ପ୍ରାର୍ଥନା କକ୍ଷରୁ ।
ଏଠି ଗାନ୍ଧୀ ନାଁରେ ଗାନ୍ଧୀଗିରି
ଅହିଂସା ନାଁରେ ଦାଦାଗିରି ।
ଜନ୍ମ ନେଉଛନ୍ତି ପ୍ରତି ମୁହୂର୍ତ୍ତରେ
ଅସଂଖ୍ୟ ନାଥୁରାମ ।
ଫୁଟୁଛି ଅସଂଖ୍ୟ ବିସ୍ଫୋରକ
ବିରେତା 19 ଏମ୍.ଏମ୍ ପିସ୍ତଲ ପରି
ତାବ୍ଦା ହେଉଛି କାନ
ଆଉ ଥରୁଛି ଛାତି ।
ଅହିଂସା ବଦଳରେ
ହିଂସା ଆଉ ଶୋଷଣର ଛାୟା
ରାମଧୁନ ବଦଳରେ
ଚୋରି, ନିର୍ଯାତନା, ଲୁଣ୍ଠନ ଓ ହତ୍ୟା ।
ଏଠି ଲକ୍ଷଲକ୍ଷ ଛଦ୍ମବେଶୀ ବ୍ରିଟିଶ
ଆଜିବି ଚଳାନ୍ତି
ନିରିହ ନିଷ୍ପେସିତ ମଧ୍ୟରେ
ଶାସିତ ଆଉ ଶାସକର ରାଜ ।
ପୁନର୍ଜନ୍ମ ନିଅହେ ମହାବୀର
ଆଜିବି ଏ ଧରା ଖୋଜେ ତୁମକୁ
ଅହିଂସା ମନ୍ତ୍ର ଆଉ ରାମରାଜ୍ୟ ସ୍ବପ୍ନେ
ପୂର୍ଣ୍ଣ କର ଏହି ଅଧା ରାଜ୍ୟକୁ ।
