ଇଂ ସସ୍ମିତା ବେହେରା
ସୋଲାର, ଛତିଆ, ଯାଜପୁର

ଜୀବନ ଜଳୁଛି ଯନ୍ତ୍ରଣା ଜୁଇରେ
ଦବାକୁ କିଏ ବା ଅଛି ରାହା
ପ୍ରତିଘାତ ପଥ କରି ପ୍ରତିହତ
ଅବିଶ୍ରାନ୍ତ ପାଦ ଚାଲେ ଯାହା... ॥

ଛଳନା ଫାଙ୍କରେ ହସୁଛି ଅଳପ
ଅଶ୍ରୁଧାରା ଲୁଚେ ପଣତରେ
ଛାତିର କୋହକୁ କରେ ସମାପିତ
ଦୀର୍ଘଶ୍ଵାସ ଏକ ଗୋପନରେ... ॥

ଚାଲିଛି ଚାଲିବି ଜନସମୁଦ୍ରରେ
ହେବା ଯାଏଁ ରାତି ଉପନୀତ
ଶୋଇଯିବି ଏକ ମୃତ୍ୟୁର ନିଦ୍ରାରେ
ଦେଖିଛି କିଏ ବା ପରଲୋକ... ॥

ଅନେକ ନିଶିର ଅସୁମାରୀ ସ୍ଵପ୍ନ
ତଥାପି ଖେଳୁଛି ନୟନରେ
ସୀମାହୀନ ଆଶା ହୁଏ କବଳିତ
ସ୍ଵାର୍ଥ ସନ୍ଦେହର ଭଉଁରୀରେ... ॥ (କ୍ରମଶଃ..)