ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋରଧା

ଯାହା ସ୍ତୁତିଗାନ ପ୍ରକୃତି ପବନ
କରି ନପାରେ ବେଦପତି
ଦେବେ ଅଗୋଚର ମହିଁମା ଯାହାର
ଗାଇବି ବା ମୁହିଁ କେମିତି ॥

ଗହନ ଶବଦ ଶୃତି ମଧୁଛନ୍ଦ
ବିରଳ ସେଇ ପଦ ତାଳ
ଗନ୍ଧର୍ବ ଅପ୍ସରା ଗାଇ ନପାରନ୍ତି
ମୁଁ ପରା ମଣିଷ ମାତର ॥


କେଉଁ ଛନ୍ଦ ତାଳେ ଗାଇବି ସେ ଗୀତ
ବାଣୀକଣ୍ଠୁ ଯାହା ନିସୃତ
କାହିଁ ମୋର ରାହା ଅଦ୍ଭୁତ ତା ମାୟା
ବୀଣାରେ ଝଙ୍କାରେ ସେ ଗୀତ ॥

କାହିଁ ମୋର ସୁର ଛନ୍ଦ ମାନ ତାଳ
ଗୋଲୋକେ ବାଜଇ ମର୍ଦ୍ଦଳ
କାହିଁ ମୋର ଜ୍ଞାନ କିପରି ଗାଇବି
ଗନ୍ଧର୍ବେ ତୋଳନ୍ତି ସେ ତାଳ ॥


ଅଧମ ମୁଁ ଛାର ତୋ ପଦ କିଂଙ୍କର
ସ୍ତୁତି ଛଳେ ଗୀତ ଲେଖଇ
ପ୍ରଫୁଲ୍ଲ ଫୁଲରେ ଭକ୍ତି ପୁଷ୍ପାଞ୍ଜଳୀ
ଦେଇ ପ୍ରଭୁ କ୍ଷମା ମାଗଇ ॥