ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଇନ୍ଦ୍ରାବତୀ ରାଇଟ କେନାଲ ଡିଭିଜନ, ଜୁନାଗଡ
ଶ୍ରୀକ୍ଷେତ୍ରରେ ବାସକରି କଳାଠାକୁର ମୁରାରୀ
ସୁକୁମାର ସହ ତୁହି ସଉକିନିଆ
ବାରମାସେ ନାନାରୂପେ ଶୋଭାପାଉ ଭିନ୍ନବେଶେ
ତୋର ପରି ଆଉ କିଏ ଅଛି ନାଟୁଆ
ସେହି ବେଶ ଦରଶନେ
ପାପକ୍ଷୟ ସହ ଶାନ୍ତି ମିଳେ ପରାଣେ ॥୧॥
ଅବକାଶ ବେଶ ତୋର ମଙ୍ଗଳ ଆରତୀ ପର
ନିତି ଏହି ବେଶେ ତୁହି ଦେଉ ଦର୍ଶନ
ଏହି ବେଶ ଅନ୍ୟନାମ ତଡପ ଉତ୍ତରୀ ଜାଣ
ଏହି ବେଶେ ହୋଇଥାଏ ତୋହର ସ୍ନାନ
ଅବକାଶ ନିତୀ ପରେ
ବାରଲାଗି ପାଟବସ୍ତ୍ରେ ମନ ମୋହୁରେ ॥୨॥
ସବୁଠାରୁ ଶ୍ରେଷ୍ଠ ବେଶ ତୋ ବଡସିଂହାର ବେଶ
ରାତ୍ରି ପହୁଡ ପୂର୍ବରୁ ହୁଏ ସମ୍ପନ୍ନ
ଏହି ବେଶରେ ମୁଖ୍ୟତଃ ପୁଷ୍ପେ ହୁଅ ବିମଣ୍ଡିତ
ଖଣ୍ଡୁଆ ପାଟକୁ ପିନ୍ଧି ଦିଅ ଦର୍ଶନ
ଏହି ବେଶ ଦରଶନେ
ଗତି, ମୁକତି ଲଭନ୍ତି ଭକତଗଣେ ॥୩॥
ବୈଶାଖର ପୂଣ୍ୟ ଦିନ ଅକ୍ଷୟ ତୃତୀୟା ଜାଣ
ଚନ୍ଦନ ବେଶରେ ପ୍ରଭୁ ହୁଅ ପୂଜିତ
ମନ ଚାପ ଖେଳିବାରେ ନରେନ୍ଦ୍ରର ସରୋବରେ
ବାହାର ଚନ୍ଦନ ନାମେ ଏହା ନାମିତ
ପ୍ରଭୁଙ୍କର ହାତୀବେଶ
ସ୍ନାନ ପୂର୍ଣ୍ଣିମେ ସମ୍ପନ୍ନ ତା ଜ୍ୟେଷ୍ଠ ମାସ ॥୪॥
ଅନବସରର ପରେ ପଡେ ଆଷାଢ ମାସରେ
ବେଶ ସେହି ନାମ ତାର ନବଯୌବନ
ଆଷାଢ ମାସର ପୂଣ୍ୟ ଶୁକ୍ଳ ଏକାଦଶୀ ଦିନ
ସୁନାବେଶେ ରଥପରେ ଦିଅ ଦର୍ଶନ
ଅମାବାସ୍ୟା ଶ୍ରାବଣର
ଚିତାଲାଗି ବେଶେ ଦିଶ କିମନୋହର ॥୫॥
ଆସିଲେ ଭଦୁଅ ମାସ ହୁଏ ବଣଭୋଜି ବେଶ
କୃଷ୍ଣ ଦଶମୀ ତିଥିରେ ହୁଏ ପାଳିତ
ପଡେ ତାହା ପରଦିନ କୃଷ୍ଣ ଏକାଦଶୀ ଦିନ
କାଳୀୟ ଦଳନ ବେଶେ ହୋଇ ସଜ୍ଜିତ
ପ୍ରଳମ୍ବାସୁର ବଧର
କୃଷ୍ଣ ଦ୍ୱାଦଶୀ ତିଥିରେ ଦିଶ ସୁନ୍ଦର ॥୬॥
ସେହି ଭଦୁଅର ମାସେ କୃଷ୍ଣ ତ୍ରୟୋଦଶୀ ତିଥେ
ରାମ-ବଳରାମ ବେଶେ କି ମନଲୋଭା
ଶୁକ୍ଳ ପକ୍ଷ ସେ ଆଶ୍ୱୀନ ବିଜୟା ଦଶମୀ ଦିନ
ରାଜାବେଶେ ସୁନା ପିନ୍ଧି ପାଆନ୍ତି ଶୋଭା
ବେଶ ରାଧାଦାମୋଦର
ଏକାଦଶୀରେ ଆରମ୍ଭ ଦିନକ ପର ॥୭॥
ସେହି ବେଶରେ ଠାକୁର ଶୁକ୍ଳପକ୍ଷ କାର୍ତ୍ତିକର
ଦଶମୀ ପର୍ଯ୍ୟନ୍ତ ରତ୍ନବେଦୀରେ ଉଭା
ବେଶ ହୁଅ ହରିହର ହୁଏ ପ୍ରତି ସୋମବାର
ଦୀପାବଳୀଠାରୁ ପୂର୍ଣ୍ଣିମାଯାଏ ଶୋଭା
ଲକ୍ଷ୍ମୀନାରାୟଣ ବେଶ
ହୁଏ ଶୁକ୍ଳ ଏକାଦଶୀ କାର୍ତ୍ତିକ ମାସ ॥୮॥
ଶୁକ୍ଳ ଦ୍ୱାଦଶୀ ତିଥିରେ ସେହି କାର୍ତ୍ତିକ ମାସରେ
ବେଶ ତୁମ୍ଭ ନାମ ଯାର ସେ ତ୍ରିବିକ୍ରମ
ବାଙ୍କଚୁଡା ବେଶ ତୁମ୍ଭ ଶୁକ୍ଳ ତ୍ରୟୋଦଶୀ ଦିନ
ଶୁକ୍ଳ ଚତୁର୍ଦ୍ଦଶୀ ବେଶ ଲକ୍ଷ୍ମୀନୃସିଂହ
କାର୍ତ୍ତିକ ପୂର୍ଣ୍ଣିମା ଦିନ
ରାଜରାଜେଶ୍ୱର ବେଶେ ଦିଅ ଦର୍ଶନ ॥୯॥
ପଞ୍ଚୁକ ଯେବେ ହୁଅଇ ଛଅଦିନ ଥାଏ ରହି
ନାଗାର୍ଜୁନ ବେଶ ତୁମ ହୁଏ ପାଳିତ
ତ୍ରୟୋଦଶୀ କୃଷ୍ଣପକ୍ଷ ମାର୍ଗଶୀର ପୂଣ୍ୟମାସ
ଶ୍ରାଦ୍ଧର ବେଶରେ ତୁମ୍ଭେ ହୁଅ ପୂଜିତ
ସେପରି ଶ୍ରାଦ୍ଧ ବେଶରେ
ଶୋଭାପାଅ ଚତୁର୍ଦ୍ଦଶୀ, ଅମାବାସ୍ୟାରେ ॥୧୦॥
ଦିନ ପୁଷ ପୂନିମାର ବେଶ ରାଜା ରାଜେଶ୍ୱର
ଦିଅ ପ୍ରଭୁ ସୁନାବେଶେ ତୁମ୍ଭେ ଦର୍ଶନ
ପ୍ରଭୁ ଶୋଭା ପଦ୍ମବେଶେ ପଡିଥାଏ ମାଘମାସେ
ବୁଧବାର ଅବା ଶନିବାରେ ସମ୍ପନ୍ନ
ଅମାବାସ୍ୟା ଗଲାପରେ
ଦେଖାଦିଅ ଶୁକୁଳ ପଞ୍ଚମୀ ମଧ୍ୟରେ ॥୧୧॥
ହୁଏ ତା ମାଘ ମାସରେ ପୂଣ୍ୟ ପୂନିଅ ତିଥିରେ
ଗଜଉଦ୍ଧାରଣ ବେଶେ ମନ ମୋହେରେ
ହେଲେ ଫାଲଗୁନ ମାସ ପ୍ରଭୁଙ୍କ ଚାଚେରୀ ବେଶ
ଶୁକୁଳ ଦଶମୀଠାରୁ ଏହି ବେଶରେ
ଚତୁର୍ଦ୍ଦଶୀ ପରଯନ୍ତ
ଦରଶନ କରେ ଯିଏ ସେ ପୂଣ୍ୟବନ୍ତ ॥୧୨॥
ଫାଲଗୁନ ପୂର୍ଣ୍ଣିମାରେ ଦର୍ଶନ ସୁନାବେଶରେ
ଚଇତରେ ରଘୁନାଥ ବେଶେ ସଜ୍ଜିତ
ପଡେନାହିଁ ଏହି ବେଶ ଅନ୍ୟଭଳି ସବୁବର୍ଷ
ବହୁବର୍ଷ ପରେ କେବେ ହୁଏ ପାଳିତ
ସେହି ଅଟେ ଏକା ଧନ୍ୟ
ସକଳ ବେଶ ଦର୍ଶନେ ପାଇଛି ପୂଣ୍ୟ ॥୧୩॥
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.