ବିକେଶ କୁମାର ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ମୋ ଡାକ ଅବା କାହିଁକି ଶୁଣିବ
ତୁମେତ ପ୍ରଭୁ ହେ ଜଗତ ସାଇଁ
ମୁଁ ତ ଅକିଞ୍ଚନ ଅମଣିଷଟିଏ
ଦେବା ପାଇଁ ପାଖେ କିଛିବି ନାହିଁ ।

ଲାଞ୍ଚୁଆ ଠାକୁର ଲାଞ୍ଚେ ତୁମେ ମିଳ
କି ଦେଇ ଅବା ମୋହିବି ମତି
ଅଛିତ କେବଳ ହୃଦୟ ଟି ମୋର
ବିକି ସାରିଛି ଯା ତୁମରି କତି ।


ଶବରୀ ଠୁ ଲାଞ୍ଚ ଖାଇଥିଲ କୋଳି
ଦାସିଆ ଠୁ ଖାଇଥିଲ ନଡ଼ିଆ
ବିଦୁରର ଶାଗଭଜା ଖାଇଥିଲ
ମନେ କି ନାହିଁ ହେ ପ୍ରଭୁ ସେକଥା ।

ବାଲିରଥ ଗଢି ଭକ୍ତ ବଳରାମ
କରିଥିଲେ ପରା ତୁମକୁ ବଶ
କେଉଁ ଲାଞ୍ଚ ନେଇଥିଲ ତାଙ୍କ ଠାରୁ
କହିବ କି ପ୍ରଭୁ ଜଗତନାଥ ।


କେଉଁ ଦ୍ରବ୍ୟ ଦେଇ ମୋହିଥିଲା ମନ
ଘୋରବନୁ ତାରାବତୀ ହରିଣୀ
ସହସ୍ର ଯୋଜନୁ ଶୁଣିଥିଲ ଡାକ
ହେ ପ୍ରଭୁ ଲାଞ୍ଚୁଆ ଜଗତସାଇଁ ।

କେଉଁ ଲାଞ୍ଚ ଅବା ଦେଇଥିଲା ଗଜ
ରଖିଲ ପ୍ରଭୁ ହେ ତାଙ୍କ ଜୀବନ
ପେଶି ସୁଦର୍ଶନ ଗ୍ରାହକୁ ନାସିଲ
କହ କହ ଆଜି ହେ ଭଗବାନ ।


କୁରୁସଭା ତଳେ ଡାକିଲେ ଦ୍ରୌପଦୀ
କୋଟି ବସ୍ତ୍ର ତାଙ୍କୁ କରିଛ ଦାନ
କେଉଁ ଲାଞ୍ଚ ନେଇଥିଲ ତାଙ୍କ ଠାରୁ
କହିବ କି ହେ ପତିତ ତାରଣ ।

ମୁଁ ଅତି ଗରିବ କିଛି ନାହିଁ ମୋର
ଯାହା ଅଛି ପ୍ରଭୁ ସବୁ ତୁମର
କେଉଁ ଦ୍ରବ୍ୟ ଲାଞ୍ଚ ଦେବିବା ତୁମକୁ
ଭକ୍ତି ଅର୍ଘ୍ୟ ଘେନ ବିଶ୍ୱସମ୍ରାଟ ।।