ତଥ୍ୟ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା, ଓଡିଶା

ରହସ୍ୟମୟ ତ୍ରିଭୁଜ ! ନାଁ'ଟି ଶୁଣିଲେ ଦେହ ଶିହରୀ ଉଠେ । ଏଠାରେ ଅନେକ ଉଡାଜାହାଜ ଓ ପାଣି ଜାହାଜ ନିଖୋଜ ହୋଇଯିବାର ନଜିର ରହିଛି । ଆଟଲାଣ୍ଟିକ ମହାସାଗରର ପାଞ୍ଚ ଲକ୍ଷ ବର୍ଗ ମାଇଲ ପରିମିତ ଅଞ୍ଚଳ ମଧ୍ୟରେ ଫ୍ଲୋରିଡ଼ାର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ଏହି ରହସ୍ୟମୟ ସ୍ଥାନଟି । ଇତିହାସ କହେ, ଯେତେବେଳେ ଖ୍ରୀଷ୍ଟଫର କଲମ୍ବସ ଭାରତ ଆବିଷ୍କାର ନିମନ୍ତେ ତାଙ୍କର ପ୍ରଥମ ଜଳଯାତ୍ରା ଆରମ୍ଭ କରିଥିଲେ, ସେ ଏହି ସ୍ଥାନରେ ଦେଖିବାକୁ ପାଇଥିଲେ ଏକ ନୀଳ ଆଲୋକ ଶିଖା । କଲମ୍ବସଙ୍କ ପକ୍ଷରେ ଏହାର ବାସ୍ତବ ସତ୍ୟକୁ ଜାଣିବା ଅସମ୍ଭବ ଥିଲା ସେ ସମୟରେ । ୧୯୧୮ ମସିହା ମାର୍ଚ୍ଚ ମାସରେ ଏକ ଦୁଃଖଦ ଘଟଣା ସମସ୍ତଙ୍କ ମନରେ ଅନେକ କୌତୁହଳ ଓ ରହସ୍ୟ ସୃଷ୍ଟି କରିଥିଲା । କାର୍ଗୋ ନୌବାହିନୀର ସାଇକ୍ଳୋପ୍ସ ନାମକ ୫୪୨ ଫୁଟ ଲମ୍ବା ଏକ ଜଳ ଜାହାଜ, ଯାହାକି ୩୦୦ ଯାତ୍ରୀ ଏବଂ ୧୦୦୦୦ ଟନ ମାଙ୍ଗାନିଜ ବହନ କରି ଜଳଯାତ୍ରା କରୁଥିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲା । ଏହି ଦୀର୍ଘତମ ଜାହାଜର ନିଖୋଜ କିଭଳି ହେଲା ଏହା ଅଦ୍ୟାବଧି ରହସ୍ୟ ଘେରରେ । ୧୯୪୧ ମସିହାରେ ସାଇକ୍ଳୋପ୍ସର ଆଉ ଏକ ଜାହାଜ ମଧ୍ୟ ଏହି ସ୍ଥାନରେ ନିଖୋଜ ହୋଇଥିଲା । ଏହାପରେ ଏହି ପରିମିତ ଅଞ୍ଚଳକୁ ନିଷିଦ୍ଧ ଘୋଷଣା କରାଗଲା । ୧୯୪୫ ମସିହା ଡିସେମ୍ବର ମାସରେ ନେଭି ବାମ୍ବରସର ୫ ଗୋଟି ଉଡାଜାହାଜ ପ୍ରଶିକ୍ଷଣ ନିମନ୍ତେ ଏହି ସ୍ଥାନରେ ଉଡାଣ କରୁଥିବା ସମୟରେ ସେମାନଙ୍କ ଦିଗବାରେଣୀ ଯନ୍ତ୍ର ଅକାମି ହୋଇ ପଡିଥିଲା । ଏହି ୫ ଗୋଟି ଉଡାଜାହାଜ ଲକ୍ଷହୀନ ଭାବେ ଅନେକ ସମୟ ଧରି ଇନ୍ଧନ ଶେଷ ହେବା ପର୍ଯ୍ୟନ୍ତ ଏହି ସ୍ଥାନ ଉପରେ ଘୁରି ବୁଲିଥିଲେ ଏବଂ ପରେ ପରେ ନିଖୋଜ ହୋଇଯାଇଥିଲେ । ପ୍ରାୟ ଏକ ସପ୍ତାହ ଧରି ଏହି ଦୁର୍ଘଟଣାର ଅନୁସନ୍ଧାନ ପରେ ଏହାର କୌଣସି କାରଣ ଜଣାପଡି ନଥିଲା । ଶେଷରେ ନୌବାହିନୀର କର୍ମଚାରୀ ଘୋଷଣା କଲେ ଯେ, ଏହା ହୁଏତ ମଙ୍ଗଳ ଗ୍ରହର ମାର୍ଗ ହୋଇପାରେ ଏବଂ ମଙ୍ଗଳ ଗ୍ରହକୁ ଏମାନେ ଅପହରଣ ହୋଇଯାଇ ଥାଇ ପାରନ୍ତି । କିନ୍ତୁ ଏହାର ସତ୍ୟତା ବିଷୟରେ କେହିବି ନିର୍ଦ୍ଦିଷ୍ଟ ହୋଇପାରି ନଥିଲେ । ଏହାପରେ ଏହି ରହସ୍ୟମୟ ଘଟଣାକୁ ନେଇ ଅନେକ ବିତର୍କ ଓ ଗବେଷଣା ଜାରି ରହିଅଛି । ହୁଏତ ଏହି ସ୍ଥାନଟିରେ ଜଳଦସ୍ୟୁ ଅବା ଅନ୍ୟ ଗ୍ରହରୁ ଆସୁଥିବା ଆଲିଏନ ମାନେ ଏଭଳି ଘଟଣା ମାନ ଘଟାଇ ପାରନ୍ତି ବୋଲି ଅନୁମାନ କରାଯାଏ । ବୈଜ୍ଞାନିକ ତତ୍ଵ ଅନୁସାରେ ଅନୁମାନ କରାଯାଏ ଏହି ସ୍ଥାନର ସମୁଦ୍ର ଚଟାଣ ଏକ ଚୁମ୍ବକୀୟ ସ୍ତର ଅବା ମିଥେନ ବାଷ୍ପରେ ପରିପୂର୍ଣ୍ଣ ଥାଇପାରେ, ଯାହାକି ଏଭଳି ଦୁର୍ଘଟଣାର କାରଣ ହୋଇପାରେ । କିନ୍ତୁ ଏହା କୌଣସି ପ୍ରାମାଣିକ ତଥ୍ୟ ନୁହେଁ । ଅଦ୍ୟାବଧି ଏହା ରହସ୍ୟ ଘେରରେ । ଗବେଷଣା ଜାରି ରହିଛି, ବର୍ଷ ବର୍ଷର ଅନେକ ଘଟଣା ଆଜି ଯାଏଁ ପ୍ରମାଣିତ କରିପାରିନି ଏହି ଦୁର୍ଘଟଣାର କାରଣକୁ ଅବା ଏହି ରହସ୍ୟମୟ ତ୍ରିଭୁଜର ଅବସ୍ଥିତିକୁ ।