କବିତା

0
ଡକ୍ଟର ଲକ୍ଷ୍ମଣ ସାହୁ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪
ଦୂରଭାଷ : ୯୪୩୭୭୪୦୨୮୦/୯୦୪୦୧୫୧୪୭୫

କବିତା ଗଢାହୁଏ
ଶବ୍ଦର ଫୁଲରେ
ହୃଦୟର ସ୍ପନ୍ଦନରେ
ମନର ଭାବନାରେ
ଆଖିର ଛଳଛଳ ଲୁହରେ
ଶ୍ରାବଣର ଧାରାରେ
ଭଲ ପାଉଥିବା
ପ୍ରେମର ବଳୟରେ
ପୁଣି କେବେ ବସଂତର
ବର୍ଣ୍ଣବିଭା ଶୋଭାର
କୋଇଲିର କୂହୁକୂହୁ
ତାନରେ ମୋନାଲିସାର
ମୁକୁଳା ଓଠରେ ।
କେବେ ପୁଣି ଗ୍ରୀଷ୍ମର
ବହ୍ନିଲଗା ତାତିରେ
କାରଖାନା ଶ୍ରମିକର
ଚିମିନ୍ ଧୂଆଁରେ
ମା'ମାଟି ଆଁ କରି
ଚାହିଁଥିବା ଧୂମାଳ
ଆକାଶ ଛାତିରେ
ଆଉ ଅବା ଶୀତର
ଥୁରୁଥୁର ଓଠରେ
ନିଆଁ ଉମେଇରେ ବା ତମ
ଉଷୁମ ଶେଜ ତଳେ
ଜାକିଜୁକି ଶୋଇ ଥିବା
ତମ ଛାତି ପରେ
ତମ ସେ ଖରଶ୍ୱାସରେ
ଅବା କେବେ ଭୋକିଲା
ପେଟରେ ।
କବିତାର ଜୀବନ୍ୟାସ
ଘଟେ ପୁଣି
କେଉଁଠି
ଦଙ୍ଗା ହାହୋଲ୍ଲା
ମହାଭାରତରେ
ଉପାସି ପେଟର
ନିଆଁରେତ
ଅଭିଆଡୀ କୁଆଁରୀକୁ
ଝୁଣୁଥିବା
କାମୁକଂକ ଅଟ୍ଟହାସ୍ୟ
କୁହାଟରେ
ଅବା କେବେ
ନେତା ନେତିଙ୍କ
କୋଳାକୋଳି
ମିଥ୍ୟା ପ୍ରତିଶୃତି
ଅଭିଭାଷଣରେ
ଗୋପନ ପ୍ରୀତିରେ ।
କବିତା କହେ
ମଣିଷର କଥା
ଜୀଅନ୍ତା କଥା
ଦେଖାଏ , କେତେ ସତ
କେତେ ମିଛ
ଏମଣିଷ ସତେ !!!

Post a Comment

0Comments
Post a Comment (0)