ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା -୦୨

ଜାଣି ମୁଁ ନଥିଲି ଆହତ ଚଢେଇ
ଅବଶ ମୋ ଦୁଇ ଡେଣା
ପରାହତ ମୋର ଲୁହକୁ ଗଡେଇ
ଉଡେ ହୋଇ ବାଟବଣା ।

ପ୍ରଣୟର ଫୁଲ ଫୁଟିବା ଆଗରୁ
ହୁଏ କେବେ ବୃନ୍ତ ଚ୍ୟୁତ
ଭଲ ପାଇବାର ବସନ୍ତ ଉତ୍ତାରୁ
ବହେ ବୈଶାଖୀ ମରୁତ ।


ଦରିଆ ଦେହରେ ନିଜ ଛାଇ ଦେଖି
ସାଥୀ ବୋଲି ଭାବି ରହେ
ଏକା ଏକା ଏହି ବିଛଣାରେ ସଖୀ
ଆପଣା ଦେହକୁ ଦହେ ।

ଅଛି ସେହି ଜହ୍ନ ଅଛି ଗୋ ଆକାଶ
ବହୁଛି ନଈ ଶ୍ରାବଣେ
ତଥାପି ଗୋ ଜହ୍ନ ଲାଗଇ ଉଦାସ
ମେଘ କି ଏକଥା ଜାଣେ ?


ମନର ଭିତରେ ରଖିଥିଲ ଯଦି
ଏଡେ ଅବିଶ୍ବାସ କଥା
କି ପାଇଁ ମିଛରେ ଭାବଟାରେ ଛନ୍ଦି
ଦେଇଗଲ ଏତେ ବ୍ୟଥା ?

ନୀଡ଼କୁ ବାହୁଡା ବେଳ ଆଉ ସତେ
ପଡୁନାହିଁ ଭଲ ଜଣା
ବନସ୍ତର ପକ୍ଷୀ କହିଲେଣି ମୋତେ
ପାଗଳ ଭିତରେ ଗଣା ।


ଲୁହ ଧାରେ ନିତି ଦୁଇ ଆଖି ମୋର
ଦେଖୁନାହିଁ ଭଲ ବୋଲି
ବାଟେ ଥାଉ ଥାଉ ଭରା ସରୋବର
ଶୋଷରେ ମରୁଛି ଖାଲି ।

ବିଦାୟ ଲଗନେ ନେବ କେବେ ଯମ
ସୂରୁଯ ଆସୁଛି ନଇଁ
ପାରୁଅଛ ଯଦି ମମତା ମଲମ
ଦିଅ ଗୋ ଟିକେ ମଡେଇ ।