ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା -୦୨

ଶାଖୀର ଶାଖାରୁ ଶିଖୀ ଶିଖରୀ ଶିଖରୁ ଶଙ୍କି
ଚଞ୍ଚଳା ଚଳ ଚଡ଼କେ ଚମକି ଚେତି
ଘାରଇ ଘରଣୀ ଘ୍ରାଣେ ଘୂର୍ଣ୍ଣଇ ଘନ ଘର୍ଷଣେ
ବୀକ୍ଷଣେ ବାରି ବିହରି ବନ ବ୍ରତତି
କୂଜନ କଲ୍ଲୋଳେ କାକୁତି
କମନୀୟ କୁଞ୍ଜବନ କ୍ରମେ କମ୍ପନ୍ତି ।

କେୟୂର କଳାପେ କଳି କନ୍ଦରେ କେଳି କାକଳି
ମୟୂର ମେଘ ମହ୍ଲାରେ ମାତି ମଗନ
ଗୁଚ୍ଛିତ ଗୁଣ୍ଠନେ ଗୁଣ ଗ୍ରୀବା ଗରିମା ଗଢ଼ଣ
ପ୍ରେୟସୀ ପ୍ରତ୍ୟନ୍ତେ ପ୍ରୀତି ପ୍ରତୀକ୍ଷମାଣ
ପ୍ରତିଭାତ ପ୍ରତିଭା ପୁଣ
ରଙ୍ଗିଣୀ ରଞ୍ଜନେ ରଚେ ରତିରମଣ ।

ଝିପିଝିପି ଝର ଝରେ ଝାଡ଼ରେ ଝିଙ୍କାରି ଝୁରେ
ଜ୍ୟେଷ୍ଠାନ୍ତେ ଜୀମୂତ ଜଳେ ଜାଗଇ ଜୀବ
ମଣ୍ଡୁକେ ମିଳନେ ମତ୍ତ ମର୍ମର ମନ୍ତ୍ରେ ମୋହିତ
ପୟସ ପ୍ଳାବନେ ପ୍ରୀତ ପ୍ରତି ପଲ୍ଲବ
ସବୁଜ ସମ୍ବଳେ ସମ୍ଭବ
ବିପିନ ବୁକେ ବିନ୍ୟସ୍ତ ବିଧୁ ବିଭବ ।

ଆଷାଢ଼ର ଆଗମନେ ଆମୋଦିତ ଆଶ୍ବାସନେ
ତପତ ତନୁ ତଳପେ ତିତିଭ ତୋଷ
ପାବନ ପାଣି ପରଶେ ପ୍ରବେଶି ପାଦପ ପାଶେ
ଅସରା ଆବେଗେ ଆଜି ଆଶୁ ଆଶ୍ବାସ
ଆଲମ୍ବ ଆସନ୍ନ ଆୟୁଷ
ଭାବରେ ଭିଜି ଭାଳଇ ଭଗ୍ନ ଭବିଷ୍ୟ ।

ରଜେ ରସା ରଜସ୍ବଳା ରମଣୀୟା ରସୋଜ୍ଜ୍ବଳା
ପୟୋଦ ପାଦ୍ୟେ ପୃଥିବୀ ପାବନୀ ପରା
ଶବଳ ଶସ୍ୟ ଶ୍ୟାମଳା ଶାଦ୍ବଳ ଶଇଳମାଳା
ଶୀତଳ ଶୀକରେ ଶୋଭା ଶିଳୀନ୍ଧ୍ର ଶିରା
ବିବିଧ ବିଶ୍ରମ୍ଭେ ବିଭୋରା
ମେଘନାଦେ ମହାମାୟା ମହୀ ମଧୁରା ।

ଶବ୍ଦାର୍ଥ ଗୁଡିକ ଅନୁସରଣ କରନ୍ତୁ --
ଶାଖୀ - ବୃକ୍ଷ, ଶିଖୀ - ମୟୁର, ଶିଖରୀ - ପର୍ବତ, ଶଙ୍କି - ଆଶଙ୍କା କରି, ଘନ- ମେଘ, ଚଞ୍ଚଳା - ବିଜୁଳି, ଚଡ଼କ - ବଜ୍ରପାତ, ଚେତି - ଚେତନା ପାଇ, ଘାରଇ - ଚିନ୍ତା କରଇ, ବୀକ୍ଷଣେ - ଦେଖିବାରେ, ବ୍ରତତି - ଲତା, କାକୁତି - ଅନୁନୟ, କେୟୁର -ବାହୁ ବା ପକ୍ଷ ଭୂଷଣ, କନ୍ଦରେ - ପର୍ବତ ଉପତ୍ୟକାରେ, କଳାପ - ମୟୁର ପୁଚ୍ଛ, କନ୍ଦର - ପର୍ବତ ଗୁହା, ଗୁଣ୍ଠନ- ଓଢଣୀ, ପ୍ରତ୍ୟନ୍ତେ - ନିକଟବର୍ତ୍ତୀ ହୁଅନ୍ତେ, ପ୍ରତୀକ୍ଷମାଣ -ଦୃଷ୍ଟି ଗୋଚର, ପ୍ରତିଭାତ - ପ୍ରକାଶିତ, ରଞ୍ଜନ- ବିନୋଦ, ଝାଡରେ - ବୁଦାରେ, ମର୍ମର - କର୍କଶ ଧ୍ଵନି, ତିତିଭ - ସାଧବ ପୋକ, ବିପିନ - ବନ, ବିଧୁ - ଚନ୍ଦ୍ର, ବିଭବ - ସମ୍ବଳ, ପାବନ - ପବିତ୍ର, ପାଦପ - ବୃକ୍ଷ, ଆଲମ୍ବ - ଅବଲମ୍ବନ, ରସା - ଧରା, ପୟୋଦ - ମେଘ, ପାଦ୍ୟ -ପାଦ ଧୋଇବା ଜଳ, ପାବନୀ - ପବିତ୍ରା, ଶବଳ - ବହୁ ବର୍ଣ୍ଣୀ, ଶାହ୍ଵଳ - ତୃଣ ଆଚ୍ଛାଦିତ, ଶୀକର - ଜଳ ବିନ୍ଦୁ, ଶିଳୀନ୍ଧ୍ର - ଛତୁ ଜାତୀୟ ଗୁଳ୍ମ , ବିଶ୍ରମ୍ଭ-ପ୍ରଣୟ କେଳି