ବିକେଶ କୁମାର ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ଶାନ୍ତିର ବାଣୀ ଶୁଣେଇବାକୁ
ନୁହେଁ ମୁଁ ଶାନ୍ତି ଦୂତ
ହୃଦେ ମୋର ଜଳେ ବିଦ୍ରୋହ ଅନଳ
ସହଜେ ହୁଏ ନା ଶାନ୍ତ ॥

ଧ୍ଵଂସ କରିଦେବି ଅନ୍ୟାୟି ଅଧର୍ମୀ
ତୋଳିବି ଧର୍ମ ଶଉଧ
ବାଧା ଦେଲେ ଯିଏ ପେଶିବି ପାତଳେ
ମୁଁ ନୁହେଁ କାହା ଦାସ ॥


ପୋଛିଦେବି ସବୁ ଜନନୀ ଆଖିରୁ
ନିଗିଡ଼ା ସେ ଅଶ୍ରୁ ଧାର
ମେଣ୍ଟେଇ ଦେବି ମୁଁ ନାରୀଙ୍କ ମଥାରୁ
ପ୍ରତି କଳଙ୍କର ଗାର ॥

ବହୁତ ହେଲାଣି ନିରୀହ ଉପରେ
ସବଳର ଅତ୍ୟାଚାର
ସ୍ୱାଧୀନତା ଥାଇ ଆଜିଏ ସମାଜେ
କିମ୍ପା ଛିନ୍ନ ଅଧିକାର ॥


ପ୍ରତି ଶିଶୁ ମୁଖେ ଫୁଟାଇବି ମୁଁ
ସଦ୍ୟ ଫୁଲର ହସ
ଫେରେଇ ଦେବି ମୁଁ ଶିଶୁ ଅଧିକାର
ହେବେ ନି ଶିଶୁ ଶ୍ରମିକ ॥

ବାପ ପୁଅ ଗୁରୁ ଶିଷ୍ୟ ସମ୍ପର୍କ
ହେଲାଣି ତ କଳୁଷିତ
ଶିକ୍ଷା ବ୍ୟବସ୍ଥା ତ ସାଜିଲାଣି ପଙ୍ଗୁ
ନାହିଁ କାହା ହିତାହିତ ॥


ପ୍ରତି ଅନ୍ୟାୟିର ଖୋଲିଦେବି ମୁଖା
ଯାଆରେ ସବୁ ସୁଧୁରି
ଖଣ୍ଡି ଦେବି ମୁଁ ସବୁ ଅହଂକାର
ମୁଁ ତ ସେ ଉଗ୍ରବାଦୀ ॥