ପ୍ରଶାନ୍ତ ମହାପାତ୍ର
ରମାବିଲି, ଜଙ୍କିଆ, ଖୋରଧା
ଦୂରଭାଷ - ୭୮୯୪୬୬୮୩୫୬

ସକାଳ ସୁନେଲି କିରଣ
ଯେବେ ମାଟି ସ୍ପର୍ଶ କରେ
ନବ ବଧୂ ବେଶ ସାଜି
ନୂତନ ସକାଳ
ମୋ ଗାଁ କୁ ଆସେ......॥୧॥

ସୁଲୁସୁଲିଆ ପବନରେ
କିଚିରି ମିଚିରି ଶବ୍ଦ
ହାତେ ଲମ୍ବର ଓଢଣି ତଳେ
ରୂପେଲି ଚାନ୍ଦ
ପୁରାଣ ଗାଉଥାଏ ଠାକୁର ପାଶେ
ନୂତନ ସକାଳ
ମୋ ଗାଁ କୁ ଆସେ......॥୨॥


ଗାଁ ର ସେ କଚ୍ଚା ପଥରର
ପୋଖରୀ ତୁଠ
ସବୁ ପୁରୁଷ ମାଇପିଙ୍କର
ସ୍ମୃତିର ଛାଟ
ସୁଖ ଦୁଃଖ ସବୁ ସେଇଠି ମିଶେ
ନୂତନ ସକାଳ
ମୋ ଗାଁ କୁ ଆସେ.......॥୩॥

ଚଷା ଭାଇର ସେ ହଳୁଆ ଗୀତ
ଲଙ୍ଗଳ ବଳଦ ତା ଆନନ୍ଦ
ରାତି ନ ପାହୁଣୁ ଘରୁ ବାହାରେ
ସଞ୍ଜ ବୁଡିଗଲେ ଘରକୁ ଫେରେ
ଏତେ କଷ୍ଟ କରି ମୂରୁକି ହସେ
ନୂତନ ସକାଳ
ମୋ ଗାଁ କୁ ଆସେ......॥୪॥


ଦାଣ୍ଡ କୂଅ ଠାରୁ ମନ୍ଦିର ଯାଏ
ଖେଳ ପଡିଆ ଠାରୁ ଛକ
ସ୍ମୃତିର ପ୍ରତିଟି କଣିକାରେ
ଛନ୍ଦି ହୋଇଥାଏ
ମୋ ଗାଁ ର ମହକ
ମନେପଡେ ଆଜି ସ୍ମୃତିର ପାଶେ
ନୂତନ ସକାଳ
ମୋ ଗାଁ କୁ ଆସେ.......॥୫॥