ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ଉଡି ଉଡି ପକ୍ଷୀଟିଏ ଦିନେ, ଚାଲିଗଲା ବହୁ ଦୂରେ
ପୁରୁଣା ନୀଡର ଛବିଟି, ତା ମନେ ଉଙ୍କି ମାରେ ॥
ନୂଆ ଗଛଟିଏ ଖୋଜି ସେ ପାଇଛି, ନୂଆ ବସା ଟିଏ ବାନ୍ଧିଛି
ନୂଆ ଆଶ୍ରା ତାକୁ ଭଲ ଲାଗିଯିବ, ମନକୁ ସାନ୍ତ୍ଵନା ଦେଉଛି ॥
କର୍ମ ବ୍ୟସ୍ତତାରେ ଉଡି ଉଡି ବୁଲି, ଦିନ ତାର ଯାଏ ବିତି
ସଂନ୍ଧ୍ୟାର ଛାଇରେ ଥକାହରା ହୋଇ, ପିଲାଦିନ କଥା ଭାବେ ନିତି ॥
ରାତ୍ରିର ଅନ୍ଧାରେ ତର୍ଜମା କରୁଛି
ବିଦେଶୀ ବସାର ନିଦହରା ସ୍ୱପ୍ନ
ଅବୁଝା ମନକୁ ପଚାରି ବସୁଛି
ଏ ଜାଗା କଣ ମୋ ଆପଣାର !!
ଉତ୍ତର ଆସଇ ହୃଦୟ ଭିତରୁ
ନା… ନା… ନା …
ଅନ୍ଧାର ଏରାତି ହୋଇଲେ ଶେଷ,
ସକାଳ ଆସିବ ସୂରୁଜ ଉଇଁବ
ଉଡିଯିବ ସେ ତା'ନିଜ ଦେଶ …