କୁନ୍ତଳା ସାହୁ, ସହକାରୀ ଶିକ୍ଷୟତ୍ରୀ
କାରଟିଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାଙ୍ଗୀ, ଖୋରଧା

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ, ଘେନି ନୂଆ ସଜବାଜ ॥୧॥
ଆନନ୍ଦ ହୁଏ ମଗଜ
ରଜ ଆଣିଦିଏ ଖୁସି ମଉଜ
ଖୁସି ମଉଜ ଲୋ, ଝିଅଙ୍କର ସଜବାଜ ॥୨॥

ବାଳିଏ ଏକାଠି ମିଳି
ବଉଳ ଗଛରେ ବାନ୍ଧନ୍ତି ଦୋଳି
ବାନ୍ଧନ୍ତି ଦୋଳି ଲୋ, ଦୋଳି ଯାଏ ଝୁଲି ଝୁଲି ॥୩॥
ସୁଆଦିଆ ପୋଡପିଠା
ଚକୁଳି ଇଟିଲି ସାଙ୍ଗରେ ମିଠା
ସାଙ୍ଗରେ ମିଠା ଲୋ, ଘରେ ଘରେ ବଣ୍ଟାକୁଣ୍ଟା ॥୪॥


ମୁଗଜାଇ ଖଡା ବଡି
ପଣସର ମଞ୍ଜି ଥିବଟି ପଡି
ଥିବଟି ପଡି ଲୋ, ଭାତ ନେଇଯିବ ତଡି ॥୫॥
ଆମ୍ବ ପାଚିଲା କଦଳୀ
ନଡିଆ ପଣସ ଅଙ୍ଗୁରକୋଳି
ଅଙ୍ଗୁରକୋଳି ଲୋ, ଖାଉଥାନ୍ତି ହୋଇ ମେଳି ॥୬॥

ଗଛରେ ପାଚିଲା କୋଳି
ଭାଇକି ଭାଉଜ ଲାଗନ୍ତି କଳି
ଲାଗନ୍ତି କଳି ଲୋ, ଆଣି ଦିଅ ସୁନାମାଳି ॥୭॥
ମିଠା ଲାଗେ ରଜପାନ
ଭାଉଜ ଭାଙ୍ଗନ୍ତି ବିଡିଆ ପାନ
ବିଡିଆ ପାନ ଲୋ, ପାନରେ ଦିଅର ମନ ॥୮॥


ଓଡିଶା ରଜ ପସରା
ସ୍ନେହ ମମତାର ବନ୍ଧନ ପରା
ବନ୍ଧନ ପରା ଲୋ, ବଞ୍ଚି ରହୁ ଭାଇଚାରା ॥୯॥
ମନେପଡେ ପିଲାଦିନ
ଫେରି ଆସନ୍ତାକି ପୁଣି ସେଦିନ
ପୁଣି ସେଦିନ ଲୋ, ଆନନ୍ଦେ ନାଚନ୍ତା ମନ ॥୧୦॥