ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା


ମୋ ମାଆଙ୍କ ଜନ୍ମସ୍ଥାନ ଗଞ୍ଜାମ । ମାଆଙ୍କ ସହିତ ପିଲାବେଳୁ ପ୍ରତିବର୍ଷ ଗଞ୍ଜାମ ଯିବାର ସୁଯୋଗ ମିଳିଥାଏ ମତେ । ଅନେକ ଥର ପୋତଗଡର ଭଗ୍ନ ଦୁର୍ଗ ବୁଲିବାର ସୁଯୋଗ ମିଳିଛି ପିଲାବେଳୁ ଆଜି ପର୍ଯ୍ୟନ୍ତ କିନ୍ତୁ କେବେ ଏହାର ଇତିହାସକୁ ଅବଲୋକନ କରିନଥିଲି । ପୋତାଗଡ ବିଷୟରେ ଅନେକ ଭୌତିକ କଥାବସ୍ତୁ ସବୁ ପିଲାବେଳୁ ଶୁଣିଥିଲି । ଯେବେ ମୁଁ ସେହି ଭଗ୍ନ ଦୁର୍ଗର ଚଟାଣରେ ପାଦ ଦିଏ ମନେ ପଡିଯାଏ ଭୌତିକ କଥାବସ୍ତୁ ସମୂହ । ମନରେ ଖୁବ ଭିତ୍ତି ସଂଚାର ହୁଏ ଆଉ ମାଆ ପଣତରେ ନିଜକୁ ଲୁଚେଇ ଦିଏ । ବୟସର ପରିପକ୍ଵତା ଆସିବା ପରେ ଏହି ଭଗ୍ନ ଦୁର୍ଗର ଇତିହାସକୁ ଆଲୋଚନା କରିବାକୁ ମନରେ କୌତୁହଳ ଆସେ । ଆଉ ସେଇ ଇତିହାସର ଆଧାରରେ ଜାଣିବାକୁ ମିଳେ ଗଞ୍ଜାମ ଗଡ ଯାହାକି ପୋତଗଡ ନାମରେ ନାମିତ ।


ପୋତାଗଡ ହେଉଛି ଏକ ଐତିହାସିକ ଦୁର୍ଗ । ଏହା ଗଂଜାମ ଜିଲ୍ଲାର ରୁଷୀକୁଲ୍ୟା ନଦୀ କୁଳରେ ଅବସ୍ଥିତ । ୧୭୬୮ ମସିହାରେ ଏହି ଗଡର ବିଶେଷ ଅଂଶକୁ ଏଡୱାର୍ଡ କଷ୍ଟଫୋର୍ଡ ନିର୍ମାଣ କରିଥିଲେ ବୋଲି ଅନୁମାନ କରାଯାଏ, କିନ୍ତୁ ଦୁର୍ଗର ତରକା ଆକୃତି ଅଂଶ ବିଶେଷ ଏବଂ ନିକଟରେ ଥିବା ମସଜିଦ ବହୁ ପ୍ରାଚୀନ । ଏହା ମୁସଲମାନ ରାଜତ୍ଵ ସମୟର ବୋଲି ଅନୁମାନ କରାଯାଏ । ଗବେଷକ ମାନେ ମତ ଦିଅନ୍ତି, ୧୬୪୧ ମସିହାରେ ମହମ୍ମଦ ଖାଁ ଶ୍ରୀକାକୁଲମ ଅଞ୍ଚଳର ପ୍ରଥମ ଫୌଜଦାର ଭାବେ ତତ୍କାଳୀନ ଗୋଲକୁଣ୍ଡାର ଶାସକ ଅବଦୁଲ କୁତବ ଶାହାଙ୍କ ଦ୍ଵାରା ନିଯୁକ୍ତ ହୋଇଥିଲେ । ସେହି ସମୟରେ ଶ୍ରୀକାକୁଲମ ଓ ଇଚ୍ଛାପୂର ଅଞ୍ଚଳରେ କିଛି ମସଜିଦ ନିର୍ମାଣ କରିଥିଲେ । ପୁରାତନ କଳିଙ୍ଗ ଦଣ୍ଡପାଟର ବିଭାଗୀକରଣ (ଶ୍ରୀକାକୁଲମ ଓ ଇଚ୍ଛାପୂର ନାମରେ ଦୁଇଗୋଟି ଡିଭିଜନ) ପରେ ମହମ୍ମଦ ଖାଁ ଇଚ୍ଛାପୂର ଡିଭିଜନର ଶାସନ ପରିଚାଳନା ନିମନ୍ତେ ଗଞ୍ଜାମର ଏହି ଦୁର୍ଗ ନିର୍ମାଣ କରିଥିବାର ଅନୁମାନ କରାଯାଏ । ଅଷ୍ଟାଦଶ ଶତାବ୍ଦୀରେ ଏହି ପ୍ରାଚୀନ ଦୁର୍ଗଟି ଇରେଂଜ ମାନଙ୍କ କବଳିତ ହେବାପରେ ଏହାର ଅନ୍ୟକିଛି ଭାଗ ନିର୍ମାଣ କରଯାଇଥିଲା । ମାଟି ତଳେ ପୋତିହୋଇ ରହିଥିବା ଏହି ଦୁର୍ଗଟି ତତ୍କାଳୀନ ଗଂଜାମ ରାଜତନ୍ତ୍ରର ବାର୍ତ୍ତା ବହନ କରେ ।


ଏହି ଦୁର୍ଗ ମଧ୍ୟରେ ଥିବା ଗୁପ୍ତ ସୁଡଂଗ ସହିତ ଜଡିତ ଅନେକ ଭୌତିକ କଥାବସ୍ତୁ ସମୁହ ଖୁବ୍ ଭୀତି ସଂଚାର କରେ । ପ୍ରାଚୀନ ଗଂଜାମର ରକ୍ଷା କବଚ ଥିଲେ ଏହି ଗଡର ଗଡଦେବୀ । ଗଞ୍ଜାମର ଅଧିବାସୀଙ୍କ ମୁଖରୁ ଶୁଣାଯାଏ ଶତ୍ରୁ ଆକ୍ରମଣ ସମୟରେ ତତ୍କାଳୀନ ଗଞ୍ଜାମ ଗଡର ରାଜା ନିଜକୁ ରକ୍ଷା କରିବା ପାଇଁ ଏହି ଗୁପ୍ତ ସୁଢଙ୍ଗ ପଥ ଦେଇ କେଉଁ ଆଡେ ଚାଲିଯାଇଥିଲେ । ଗଡର ପୁର୍ବ ଦିଗରେ ଏକ ପ୍ରସସ୍ଥ ମୁଖ୍ୟଦ୍ଵାର ରହିଛି । ଗଡ ମଧ୍ୟରୁ ବଂଗୋପସାଗର ମଧ୍ୟକୁ ଏକ ଗୁପ୍ତ ପଥ ମଧ୍ୟ ରହିଅଛି । ଏହାର ପର୍ଯ୍ୟାପ୍ତ ଗବେଷଣାର ଆବଶ୍ୟକତା ରହିଛି ଯାହାଫଳରେ ଆହୁରି ଅନେକ ଲୁକାୟିତ ତଥ୍ୟ ଲୋକଲୋଚନକୁ ଆସିପାରିବ । ଏହି ସ୍ଥାନଟିର ଶାନ୍ତ ବାତାବରଣ ପ୍ରତ୍ୟେକ ମନକୁ ଆକର୍ଷିତ କରିଥାଏ । ବଣଭୋଜି ପାଇଁ ଏହା ଖୁବ ମନୋରମ ସ୍ଥାନ ।